Breaking NewsFeaturedରାଜନୀତି

‘ରାଜନୈତିକ ମେଣ୍ଟକୁ ନିୟନ୍ତ୍ରଣ କରିବା କ୍ଷମତା ଆମର ନାହିଁ’

ରାଜନୈତିକ ମେଂଟକୁ ନିୟନ୍ତ୍ରଣ କରିବା କ୍ଷମତା ଆମର ନାହିଁ । ଦିଲ୍ଲୀ ହାଇକୋର୍ଟଙ୍କୁ ଏଭଳି କହିଛନ୍ତି ଭାରତର ନାର୍ବାଚନ କମିସନ । ବିଜେପିକୁ ମାତ ଦେବା ପାଇଁ ମିଶିତ ୨୬ଟି ବିରୋଧୀ ରାଜନୈତିକ ଦଳକୁ ନେଇ ଗଠିତ ଆଇଏନଡିଆଇଏ ମେଂଟକୁ ନେଇ ପ୍ରଶ୍ନ ଉଠାଇଥିବା ଯାଚିକା ଉପରେ ନିର୍ବାଚନ ଆୟୋଗ ଏହି ଜବାବ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ନିର୍ବାଚନ ଆୟୋଗ କହିଛନ୍ତି ଯେ ସଂସ୍ଥା ରାଜନୀତିକ ମେଣ୍ଟକୁ ପରିଚାଳନା କରିପାରିବ ନାହିଁ । ଜନପ୍ରତିନିଧି ଅଧିନିୟମ କିମ୍ୱା ସମ୍ୱିଧାନ ଅନୁସାରେ ନିୟାମକ ସଂସ୍ଥା ରୂପେ ମାନ୍ୟତା ମିଳି ନାହିଁ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆଗାମୀ ନିର୍ବାଚନରେ ବିଜେପି ସହ ମୁକାବିଲା ପାଇଁ ବିରୋଧୀ ୨୦୨୩ ଜୁଲାଇ ୧୮ରେ ଆଇଏନଡିଆଇଏ ଗଠନ କରିଥିଲେ । ୨୬ ରାଜନୈତିକ ଦଳର ସଂକ୍ଷିପ୍ତ ନାଁ ଇଣ୍ଡିଆ ବ୍ୟବହାର ଉପରେ ରୋକ୍ ଦାବି ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ପୂର୍ବରୁ ସୁପ୍ରିମକୋର୍ଟ ମନା କରି ସାରିଛନ୍ତି ।

ଏହା ସହ ନିର୍ବାଚନ ଆୟୋଗ ଏହି ସତ୍ୟପାଠରେ ୨୦୨୧ରେ ଆସିଥିବା ଡାକ୍ତର ଜର୍ଜ ଜୋସେଫ ବନାମ ୟୁନିୟନ୍ ଅଫ୍ ଇଣ୍ଡିଆ ମାମଲାରେ କେରଳ ହାଇକୋର୍ଟଙ୍କ ରାୟକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହା ଅନୁସାରେ ନିର୍ବାଚନ ଆୟୋଗଙ୍କୁ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୨୯ଏ ଅନୁସାରେ କୌଣସି ରାଜନୈତିକ ଦଳର ଶାଖା କିମ୍ୱା ବ୍ୟକ୍ତିଙ୍କ ସଂଘକୁ ପଞ୍ଜୀକୃତ କରିବା ଅଧିକାର ଦିଆଯାଇଛି । ଅନ୍ୟପଟେ ରାଜନୀତିକ ମେଣ୍ଟକୁ ଜନପ୍ରତିନିଧି ଅଧିନିୟମ, ୧୯୫୧ ଆରପି ଆକ୍ଟ କିମ୍ୱା ସମ୍ୱିଧାନ ଅଧିନରେ ନିୟାମକ ସଂସ୍ଥା ରୂପେ ମାନ୍ୟତା ଦିଆଯାଇ ନାହିଁ । ଡାକ୍ତର ଜର୍ଜ ଜୋସେଫଙ୍କ ମାମଲାରେ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ରାଜନୀତିକ ମେଣ୍ଟ, ଏଲଡିଏଫ, ୟୁଡିଏଫ୍, ଏନଡିଏ ନାଁ ଉପରେ ନିର୍ଦ୍ଦେଶ ଦେବାକୁ ମନା କରିଥିଲେ । କୋର୍ଟ କହିଥିଲେ ଯେ ଆରପି ଆକ୍ଟ ଅଧିନରେ ରାଜନୀତିକ ମେଣ୍ଟ ଆଇନଗତ ସଂସ୍ଥା ନୁହେଁ ।

ଗିରୀଶ ଭରଦ୍ୱାଜ ନାମକ ଜଣେ ବ୍ୟବସାୟୀଙ୍କ ଦ୍ୱାରା ବିରୋଧୀ ମେଂଟ ଆଇଏନଡିଆଇଏକୁ ନେଇ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ ୨୬ ବିରୋଧୀ ଦଳ ଆଗାମୀ ଲୋକସଭା ନିର୍ବାଚନରେ ଆମ ଦେଶର ନାଁର ଅନୁଚିତ ଲାଭ ଉଠାଇବାକୁ ଚାହୁଁଛନ୍ତି । ଏହି ମାମଲାରେ ଜବାବ ରଖିବାକୁ ଯାଇ ନିର୍ବାଚନ ଆୟୋଗ ଏହି ବୟାନ ରଖିଛନ୍ତି । ତେବେ ଏଠି କହିରଖୁଛୁ ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶ ର୍ମା ଓ ଜଷ୍ଟିସ ସଞ୍ଜିବ ନରୁଲାଙ୍କ ପୀଠ ଅଗଷ୍ଟ ୪ରେ କେନ୍ଦ୍ର, ଇସିଆଇ ଓ ୨୬ ବିରୋଧୀ ଦଳଙ୍କୁ ଏହାର ଜବାବ ମାଗିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com