ଓଡ଼ିଶା

ଜାଲନୋଟ୍ ମାଫିଆଙ୍କ ଗୁମର ଖୋଲୁଛି: ଚାକିରି ନାଁରେ ୫ ଜିଲ୍ଲାର ଶତାଧିକ ଆଶାୟୀଙ୍କୁ ଚୂନ ଲଗାଇଛନ୍ତି କେଉଁଠି ଜାଲନୋଟ୍ କାରବାର କରୁଛନ୍ତି ଖୋଳତାଡ଼ କରୁଛି ପୁଲିସ

ଭୁବନେଶ୍ବର() ଜାଲନୋଟ୍ ତିଆରି ସହ ବିପୁଳ ପରିମାଣର କାରବାର କରିବା ପରେ ପୁଲିସ ହାତରେ ଧରା ପଡ଼ିଥିବା ମାଫିଆଙ୍କ ଗୁମର ଖୋଲିବାରେ ଲାଗିଛି। ସେମାନଙ୍କଠାରୁ ପୁଲିସ ବହୁ ତଥ୍ୟ ହାସଲ କରିଛି। ଏପରିକି ଆନ୍ଧ୍ରପ୍ରଦେଶ ସହ ଅନ୍ୟ ସ୍ଥାନରେ ଛପାଯାଉଥିବା ଠିକଣା ତଦନ୍ତକାରୀ ଟିମ୍ ହାତରେ ଲାଗିଛି। କାହା ଘରେ ଛପା ଚାଲିଥିଲା? ଆଉ କାହାର ସମ୍ପୃକ୍ତି ରହିଛି? ସେ ନେଇ ପୁଲିସ ତଦନ୍ତ କରୁଛି। ଏହି ରାକେଟରେ ଆହୁରି ସଦସ୍ୟ ଅଛନ୍ତି ନା ନାହିଁ? ଆଉ କେଉଁଠି କେତେ ପରିମାଣରେ କାରବାର କରୁଛନ୍ତି? ତାହାର ମଧ୍ୟ ଖୋଳତାଡ଼ ଚାଲିଛି।

ଗିରଫ ସତ୍ୟ ନାରାୟଣ ପୃଷ୍ଟିର ଗୁମର ଖୋଲିବାରେ ଲାଗିଛି। ଚାକିରି ନାଁରେ ୫ ଜିଲ୍ଲାରୁ ଶତାଧିକ ଆଶାୟୀଙ୍କୁ ଠକେଇ କରିଥିବା ପୁଲିସ ଜାଣିବାକୁ ପାଇଛି। ଆଜି କନ୍ଧମାଳର ଠକାମିର ଶିକାର ହୋଇଥିବା ପ୍ରାୟ ୩୦ ଜଣ ଆଶାୟୀ ଗଣମାଧ୍ୟମରୁ ସତ୍ୟନାରାୟଣ ସମ୍ପର୍କରେ ଜାଣିବା ପରେ ଖାରବେଳନଗର ଥାନା ପୁଲିସ ସହ ଯୋଗାଯୋଗ କରିଛନ୍ତି। ରେଳବାଇ, ପୋଷ୍ଟାଲ, ବ୍ୟାଙ୍କ, ସଚିବାଳୟ, ପୁଲିସ ଭଳି ଚାକିରି କରାଇ ଦେବ କହି ସେମାନଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଆଦାୟ କରିଛି। ଏହା ପରେ ଫୋନ୍ ସୁଇଚ୍ ଅଫ୍ କରି ଫେରାର ହୋଇ ଯାଇଥିଲା। ଆସନ୍ତାକାଲି(ଶୁକ୍ରବାର) ଠକାମିର ଶିକାର ଚାକିରି ଆଶାୟୀମାନେ ଖାରବେଳନଗର ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି। କନ୍ଧମାଳ ସହ ଗଞ୍ଜାମ, ନୟାଗଡ଼, କଟକ, ଭୁବନେଶ୍ବରରୁ ଠକେଇ କରିଥିବା ମଧ୍ୟ ସ୍ପଷ୍ଟ ହୋଇଛି। ଆହୁରି ଏକାଧିକ ଜିଲ୍ଲାରୁ ଚାକିରି ଆଶାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ସନ୍ଦେହ କରାଯାଉଛି। ପୁଲିସ ଏ ସମ୍ପର୍କରେ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଜାଲ ନୋଟ କାରବାର ଘଟଣାରେ ଖାରବେଳନଗର ଥାନା ପୁଲିସ ସତ୍ୟନାରାୟଣ ସହ ସହଯୋଗୀ ଭୁଲା ପ୍ରଧାନକୁ ଗିରଫ କରିଥିଲା। ସେମାନଙ୍କ ଠାରୁ ପ୍ରାୟ ସାଢ଼େ ୬ ଲକ୍ଷ ଟଙ୍କାର ୨ ଶହ ଟଙ୍କିଆ ଜାଲ ନୋଟ୍, ଲାପଟପ୍, ପ୍ରିଣ୍ଟର, କାଳି, ବ୍ୟବହୃତ କାଗଜ, ମୋବାଇଲ ଫୋନ୍ ଜବତ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com