Featuredଅନ୍ୟାନ୍ୟ

ମେଡିକାଲରୁ ଶିଶୁ ବଦଳ; ମିଳିଲା ପ୍ରମାଣ, କ୍ଷମା ମାଗିଲେ ମେଡିକାଲ କର୍ତ୍ତୃପକ୍ଷ

ପୁଣି ମେଡିକାଲରେ ଶିଶୁ ବଦଳ ଅଭିଯୋଗ । ଏଥର କିନ୍ତୁ ସତ ସିଧା ସଳଖ ପ୍ରମାଣ ସହ ଧରା ପଡିଛି । ଯେଉଁଥିପାଇଁ କ୍ଷମା ମାଗିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏପରି ଘଟଣା ଘଟିଛି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ । ଘଟଣାନୁସାରେ କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଲକ୍ କୁମ୍ଭାରପସ୍ୱଙ୍କ ଅଂଚଳର ସୁନ୍ଦରୀ ହିମିରିକା ପ୍ରସୂତି ପାଇଁ ସୋମବାର ସନ୍ଧ୍ୟାରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ ।

ପ୍ରସୂତି ପରେ ତାଙ୍କର ଏକ ମୃତ କନ୍ୟା ହୋଇଥିବା କହି ଉକ୍ତ ଶିଶୁକୁ ପରିବାରକୁ ହସ୍ତାନ୍ତର କରିଥିଲେ ମେଡିକାଲ କର୍ତୃପକ୍ଷ । ମୃତ ନବଜାତକୁ ପୋତି ଘରକୁ ଫେରିବାବେଳେ ପୁଣିଥରେ ସୁନ୍ଦରୀଙ୍କ ପରିବାରକୁ ଡକାଇଥିଲା ମେଡିକାଲ । ଏହାପରେ ଆଉ ଏକ ନବଜାତ ମୃତ ଶିଶୁ ପୁତ୍ରକୁ ଜବରଦସ୍ତି ସୁନ୍ଦରୀଙ୍କର ବୋଲି କହି ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ ମେଡିକାଲ କର୍ମଚାରୀ । ତଥାପି କୌଣସି ପ୍ରତିବାଦ ନକରି ସେହି ଶିଶୁକୁ ପୋତି ଘରକୁ ଫେରିବାକୁ ବାହାରିଥିଲେ ସୁନ୍ଦରୀଙ୍କ ପରିବାର ।

ହେଲେ କିଛି ସମୟ ପରେ ମେଡିକାଲ କର୍ତୃପକ୍ଷ, ଉକ୍ତ ଶିଶୁ ପୁତ୍ର ତାଙ୍କର ନୁହେଁ କହି ଫେରାଇ ଦେବାକୁ କହିଥିଲେ । ଏହାପରେ ଭାଙ୍ଗିଥିଲା ସୁନ୍ଦରୀଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ଧୌର୍ଯ୍ୟ । ବାରମ୍ବାର କର୍ତ୍ତୃପକ୍ଷ କଥା ବଦଳାଉଥିବାରୁ ଚିକିତ୍ସାଳୟରେ ଉତେଜନା ପ୍ରକାଶ ପାଇଥିଲା । ଏହାପରେ ମେଡିକାଲ ପକ୍ଷରୁ ସଫେଇ ଦିଆଯାଇଥିଲା । ସୁନ୍ଦରୀଙ୍କ ଯେଉଁ ସମୟରେ ପ୍ରସୂତି ହୋଇଥିଲା ସେହି ସମୟରେ ମଲା ନାୟକ ମଧ୍ୟ ପ୍ରସବ ଯନ୍ତ୍ରଣାରେ ମେଡିକାଲରେ ଭର୍ତି ହୋଇଥିଲେ । ତାଙ୍କର ଯାଆଁଳା ପୁତ୍ର ଜନ୍ମ ହୋଇଥିଲା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା ।

ତେବେ ମୃତ ଶିଶୁକୁ ନେଇ ମଲା ନାୟକଙ୍କ ପରିବାରକୁ ହସ୍ତାନ୍ତର କରିବା ପରିବର୍ତେ ଜୋର ଜବରଦସ୍ତ ସୁନ୍ଦରୀଙ୍କୁ ହସ୍ତାନ୍ତର କରିଥିଲେ ମେଡିକାଲ କର୍ତୃପକ୍ଷ । ଡାକ୍ତରଖାନାରେ ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ମେଡିକାଲ କର୍ତୃପକ୍ଷ ଏହି ଘଟଣା ପାଇଁ ଭୁଲ ମାଗିଛନ୍ତି । ତେବେ ଏଭଳି ଏକ ସାଂଘାତିକ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com