Breaking NewsFeaturedରାଜନୀତି

ସ୍ୱତନ୍ତ୍ର ତେଲଙ୍ଗାନାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଅନୁମୁଲା ରେଭନ୍ଥ ରେଡ୍ଡି, କେସିଆର ଏବେ ପୂର୍ବତନ ସିଏମ୍‌

ଦଶ ବର୍ଷ ଧରି ରାଜ୍ କରୁଥିଲେ । ରାଜ୍ୟ ଗଠନ ହେବା ପରେ ଫାଷ୍ଟ ଚାନ୍ସ ମାରିନେଲେ ବରିଷ୍ଠ ରାଜନେତା କେ ଚନ୍ଦ୍ରଶେଖର ରାଓ ତଥା କେସିଆର । ପୁଣି ଦ୍ୱିତୀୟ ଥର କ୍ଷମତା ବଜାୟ ରଖିବାରେ ବି ସକ୍ଷମ ହେଲେ ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍ ସୁପ୍ରିମୋ କେସିଆର୍ । ହେଲେ ୨୦୨୩ରେ ଆଉ ପାରିଲେନି । ବଢ଼ିଲା କଂଗ୍ରେସର ଆଧିପତ୍ୟ, ଜନମତ ଗଲା ତେଲଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ରେଭନ୍ଥ ରେଡ୍ଡିଙ୍କ ସପକ୍ଷରେ । ଆଜି ଅର୍ଥାତ୍ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି ରେଭନ୍ଥ ରେଡ୍ଡି । ତେବେ କିଏ ଏହି ରେଭନ୍ଥ? ରାଜନୀତିକ କ୍ୟାରିଅର୍ କେମିତି? ଆସନ୍ତୁ ନଜର ପକାଇବା…

ଆନୁମୁଲା ରେଭନ୍ଥ ରେଡ୍ଡି । ୧୯୬୯ ନଭେମ୍ବର ୮ରେ ଜନ୍ମିତ ୫୪ ବର୍ଷୀୟ ରେଭନ୍ଥ ଯୁବାବସ୍ଥାରୁ ରାଜନୀତି ପ୍ରତି ବେଶ୍ ଆଗ୍ରହୀ ଓ ସକ୍ରିୟ । ଛାତ୍ର ସମୟରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପିର ଥିଲେ ସଦସ୍ୟ । ୨୦୦୬ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମିଡଜିଲ ମଣ୍ଡଳରୁ ଜିଲ୍ଲା ପରିଷଦ ଟେରିଟୋରିଆଲ୍ କନଷ୍ଟିଚ୍ୟୁଏନ୍ସି ବା ଜେଡପିଟିସି ମେମ୍ବର ଭାବେ ବିଜୟୀ ହୋଇଥିଲେ । ୨୦୦୭ରେ ସେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନ ପରିଷଦ ବା ଏମଏଲସି ମେମ୍ବର ଭାବେ ନିର୍ବାଚିତ ହେଲେ । ଏହା ପରେ ପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲଗୁ ଦେଶମ ପାର୍ଟି ବା ଟିଡିପିରେ ସାମିଲ୍ ହେଲେ । ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଥିବା ରେଭନ୍ଥ ୨୦୦୯ରେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ କୋଡଙ୍ଗଲ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେଲେ । ବିଧାନସଭା ପାଇଁ ପ୍ରଥମ ଲଢ଼େଇରେ ରେଭନ୍ଥ ବଡ଼ ବିଜୟ ହାସଲ କଲେ, ଏପରିକି ପାଞ୍ଚ ଥରର କଂଗ୍ରେସ ଏମଏଲଏ ଗୁରୁନାଥ ରେଡ୍ଡିଙ୍କୁ ପରାଜିତ କରି ପ୍ରାୟ ୪୭ ପ୍ରତିଶତ ଭୋଟ୍ ହାତେଇବାରେ ସକ୍ଷମ ହୋଇପାରିଲେ ରେଭନ୍ଥ । ଠିକ୍ ସେହିପରି ୨୦୧୪ରୁ ୨୦୧୮ ପୁଣି ବିଧାୟକ ଭାବେ ବାଜିମାରିଲେ, କିନ୍ତୁ ଏଥର ବିଧାନସଭା ହୋଇସାରିଥିଲା ତେଲଙ୍ଗାନା । ବିପୁଳ ବିଜୟ ହାସଲ କରିଥିବା ରେଭନ୍ଥଙ୍କୁ ଗୃହରେ ଟିଡିପିର ଫ୍ଲୋର୍ ଲିଡର୍ ଭାବେ ଚୟନ କରାଯାଇଥିଲା ।

ତେବେ ୨୦୧୭ର ଶେଷାର୍ଦ୍ଧ ବେଳକୁ ବଦଳି ଯାଇଥିଲା ଦୃଶ୍ୟ । ସେହି ବର୍ଷ ଅକ୍ଟୋବର ୩୧ରେ ସେ କଂଗ୍ରେସରେ ଯୋଗ ଦେଉଥିବା ଜଣାପଡ଼ିବା ପରେ ଅକ୍ଟୋବର ୨୫ରେ ଟିଡିପି ତାଙ୍କୁ ଫ୍ଲୋର୍ ଲିଡର୍ ପଦବୀରୁ ହଟାଇ ଦେଇଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ ୨୦୧୮ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ନିଜ ଗଡ଼ କୋଡଙ୍ଗଲରୁ ହିଁ ଲଢ଼ିଥିବା ରେଭନ୍ଥ ପ୍ରଥମଥର ପାଇଁ ପରାଜୟକୁ ସାମ୍ନା କରିଥିଲେ । ଟିଆରଏସ୍ ପ୍ରାର୍ଥୀ ପି ନରେନ୍ଦ୍ର ରେଡ୍ଡି ବାଜି ମାରିନେଇଥିଲେ । କିନ୍ତୁ କଂଗ୍ରେସ ତାଙ୍କୁ ଦେଇଥିଲା ଗୁରୁଦାୟିତ୍ୱ । ୨୦୧୮ ସେପ୍ଟେମ୍ବର ୨୦ରେ ଏନ୍ ଉତ୍ତମ ରେଡ୍ଡିଙ୍କ ସ୍ଥାନରେ ରେଭନ୍ଥ ସମ୍ଭାଳିଥିଲେ ପ୍ରଦେଶ କଂଗ୍ରେସ କମିଟିର ମୁଖିଆ ଭାର ।

ଯଦି ରେଭନ୍ଥଙ୍କ ପରାଜୟ କଥା ବିଚାର କରିବା ତେବେ ଏହାର ବର୍ଷକ ପରେ ସେ ବୃହତ ବିଜୟ ହାସଲ୍ କରିଥିଲେ ଏବଂ ବିଧାନସଭା ପରିବର୍ତ୍ତେ ସିଧା ପହଞ୍ôଚଥିଲେ ପାର୍ଲିଆମେଣ୍ଟ । କାରଣ ୨୦୧୯ ସାଧାରଣ ନିର୍ବାଚନରେ ମାଲକାଜଗିରି ଲୋକସଭା କ୍ଷେତ୍ରରୁ ଟିଆର୍‌ଏସର ଏମ୍ ରାଜଶେଖର ରେଡ୍ଡିଙ୍କୁ ବୃହତ ବ୍ୟବଧାନରେ ପରାସ୍ତ କରି ରେଭନ୍ଥ ବନିଯାଇଥିଲେ ଏମପି । ଏହାହିଁ କଂଗ୍ରେସ ଓ ଏହାର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ଅଧିକ ସମ୍ପର୍କ ମଜଭୁତ କରିବାରେ ତାଙ୍କୁ ସହାୟ ହୋଇଥିଲା । ଆଉ ଏବେ ରେଭନ୍ଥ ରେଡ୍ଡି କଂଗ୍ରେସର ଜଣେ ବଡ଼ ଆସେଟ୍ ଆଉ ୧୧୯ ଆସନରୁ କଂଗ୍ରେସ ଖାତାକୁ ୬୪ ସିଟ୍ ଭେଟି ଦେଇଥିବା ରେଭନ୍ଥ ବନିବାକୁ ଯାଉଛନ୍ତି ତେଲଙ୍ଗାନାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ । ଚର୍ଚ୍ଚା କରାଯାଉଛି, ଆସନ୍ତା ୨୦୨୪ ନିର୍ବାଚନରେ କଂଗ୍ରେସ ପାଇଁ ରେଭନ୍ଥ ସାଜିବେ ବଡ଼ ଗେମ ଚେଞ୍ଜର୍ ।

Related Articles

Back to top button
WP Twitter Auto Publish Powered By : XYZScripts.com