Breaking NewsFeaturedରାଜନୀତି

ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କାହିକି?

ସର୍ବପୁରାତନ ଦଳ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ବୟସ ଏବେ ୮୧, ପଦ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଖାଲି ସେତିକି ନୁହେଁ, ୫୦ ବର୍ଷ ଧରି ରାଜନୀତିରେ ଅଭିଜ୍ଞତା ରଖିଥିବା ଖଡ଼ଗେ ଏବେ ବିରୋଧୀ ମହାମେଣ୍ଟ ଆଇଏନଡିଆଇଏର ପ୍ରଧାନମନ୍ତ୍ରୀ ଚେହେରା। ନିକଟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏଭଳି ସଂକେତ ଦେବା ପରେ ପରେ ଏବେ ବିରୋଧୀଙ୍କ ଦିଲ୍ଲୀ ବୈଠକରେ ପ୍ରସଙ୍ଗ ଆହୁରି ସ୍ପଷ୍ଟ ହୋଇଯାଇଛି। ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଖଡ଼ଗେଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ଆଉ ତାଙ୍କ ସହ ସ୍ଵର ମିଶାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲ। ତେବେ ବିରୋଧୀ ନେତା ମାନେ ଖଡ଼ଗେଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ପସନ୍ଦ କରିବାରେ କଣ ରହିଛି ରହସ୍ୟ? ଖଡ଼ଗେ କେତେ ଫିଟ୍? ଆସନ୍ତୁ ସେ ଉପରେ ନଜର ପକାଇବା। ପ୍ରଥମେ ଦେଖନ୍ତୁ ଖଡ଼ଗେଙ୍କ ଦକ୍ଷତା ଉପରେ…

– ସବୁଠୁ ପୁରୁଣା ଓ ବଡ଼ ଦଳ କଂଗ୍ରେସକୁ ସୁଚାରୁ ରୂପେ ସଞ୍ଚାଳନ କରିପାରୁଛନ୍ତି। ୨୦୨୨ରୁ କଂଗ୍ରେସକୁ ସମ୍ଭାଳି ଆସୁଥିବା ମଲ୍ଲିକାର୍ଜୁନ ଖଡ଼ଗେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ଦେଶ ଦେଖିସାରିଲାଣି । ତେଣୁ ସେ କଂଗ୍ରେସର ଲକି ପ୍ରେସିଡେଣ୍ଟ ବୋଲି କୁହାଯାଏ ।
– ଏଇ ନିକଟରେ ତେଲଙ୍ଗାନାରେ ବାଜି ମାରିଛି କଂଗ୍ରେସ । ତେବେ ଶପଥପାଠ ଉତ୍ସବ ବେଳକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବିଦେଶ ଗସ୍ତରେ ଯିବେ ବୋଲି ସ୍ଥିର ହୋଇଯାଇଥିଲା । ଯାହାକୁ ନେଇ ଦଳରେ ଅସନ୍ତୋଷ କୁହୁଳିଥିବାବେଳେ ବିରୋଧୀଙ୍କୁ କଟାକ୍ଷ କରିବାକୁ ସୁଯୋଗ ମିଳି ଯାଇଥିଲା । ତେବେ ଏସବୁକୁ ଚତୁରତାର ସହ ହ୍ୟାଣ୍ଡେଲ୍ କରିନେଇଛନ୍ତି ପ୍ରେସିଡେଣ୍ଟ ଖଡ଼ଗେ । କୁହାଯାଉଛି ତାଙ୍କର ପରାମର୍ଶରେ ତେଲଙ୍ଗାନାରେ ରେଭନ୍ଥ ସରକାର ଗତ ୭ ତାରିଖରେ ଶପଥଗ୍ରହଣ କଲେ । ଏପରିକି ରାହୁଲ ଗାନ୍ଧିଙ୍କ ବିଦେଶ ଗସ୍ତ ବାତିଲ ପଛରେ ମଧ୍ୟ ଖଡ଼ଗେଙ୍କ ପରାମର୍ଶ ଥିବା ଚର୍ଚ୍ଚା ହେଉଛି ।

– ସେହିପରି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଦଳ କାହିଁକି ହାରିଲା, ସେନେଇ ଦିଲ୍ଲୀରେ ଦୁଇଦିନିଆ ମାନସ ମନ୍ଥନ ବୈଠକ ହୋଇସାରିଛି ଖଡ଼ଙ୍ଗେଙ୍କ ନିର୍ଦ୍ଦେଶରେ । ସମ୍ପୃକ୍ତ ୩ ରାଜ୍ୟର ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ସେଠାରେ ଉପସ୍ଥିତ ଥିଲେ।
– ଖଡ଼ଗେ କଂଗ୍ରେସ ଅଧ୍ୟକ୍ଷ ପଦବୀ ସମ୍ଭାଳିବା ପରେ ଦଳର ଅନେକ ସମସ୍ୟା ସମାଧାନ ହୋଇଗଲାଣି । ଏପରିକି ଦଳ ଛାଡ଼ି ବଡ଼ବଡ଼ ନେତାମାନେ ଆଉ ଯାଉନାହାନ୍ତି । ବରଂ ଦଳ ଛାଡ଼ିବା କେତେକ ନେତା ପୁଣି କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରି ଫେରିବା ବାଟ ଖୋଜୁଛନ୍ତି।
– ଖଡ଼ଗେଙ୍କ ସଫଳ ଗୋଟି ଚାଳନାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା ସଫଳ ହୋଇପାରିଛି ।
– କର୍ଣ୍ଣାଟକରେ ସିଦ୍ଦରମୈୟା ଓ ଡି ଶିବକୁମାରଙ୍କ ମଧ୍ୟରେ ଥିବା ବିବାଦର ଅନ୍ତ ଘଟାଇଛନ୍ତି ଖଡ଼ଗେ।
– ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରିପାରିଛି
– କର୍ଣ୍ଣାଟକରେ ପୁଣି କଂଗ୍ରେସ ସରକାର କ୍ଷମତାକୁ ଆସିପାରିଛି
– ରାଜସ୍ଥାନରେ ଅଶୋକ ଗେହଲଟ୍ ଓ ସଚିନ ପାଇଲଟଙ୍କ ମଧ୍ୟରେ ପଡ଼ିଛି ବଡ଼ ପ୍ୟାଚ୍
– ଏପରିକି ଟିଏସ୍ ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରି ଛତିଶଗଡ଼ କଂଗ୍ରେସରେ ଥିବା ବିବାଦର ସମାଧାନ କରାଇବାରେ ମଲ୍ଲିକାର୍ଜୁନଙ୍କ ରହିଛି ବଡ଼ ଭୂମିକା

ତେବେ କଂଗ୍ରେସ ପାଇଁ ଲକି ପ୍ରେସିଡେଣ୍ଟ ସାବ୍ୟସ୍ତ ହୋଇସାରିଥିବା ଖଡ଼ଗେ ହେଉଛନ୍ତି ବିରୋଧୀ ମହାମେଣ୍ଟରେ ସବୁଠୁ ବୟସ୍କ। ତାଙ୍କୁ ନେଇ ବିବାଦ କିଛି ସେଭଳି ନାହିଁ। ସବୁ ଦଳର ନେତା ସମ୍ମାନ ଦେଉଥିବା ଏକ ବିଶେଷ ଚେହେରା ହେଉଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ। ଏପରିକି ସେ କର୍ଣ୍ଣାଟକର ଏକ ଦଳିତ ବର୍ଗକୁ ବିଲଙ୍ଗ କରୁଛନ୍ତି। ଏହା ପୂର୍ବରୁ ଦେଶରେ ଦଳିତ ଚେହେରାକୁ ପ୍ରଧାନମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରି ନିର୍ବାଚନ ଲଢ଼ିବାର ନଜିର୍ ନାହିଁ। ୧୯୯୬-୯୭ରେ ଅବଶ୍ୟ ଏଚଡି ଦେବଗୌଡ଼ା ପ୍ରଧାନମନ୍ତ୍ରୀ ପଦାସୀନ ହୋଇଥିଲେ, ତାହା କିନ୍ତୁ ବ୍ୟାକଡୋର୍ ଥିଲା ବୋଲି ବିଶାରଦମାନେ କହୁଛନ୍ତି। ସେହିପରି ସେହି କର୍ଣ୍ଣାଟକର ସ୍ଵର୍ଗତ ରାଜନେତା ରାମକୃଷ୍ଣ ହେଗଡେ ମଧ୍ୟ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଚର୍ଚ୍ଚାକୁ ଆସିଥିଲେ ଏକଦା, କିନ୍ତୁ ପିଏ ଚୌକି ତାଙ୍କ ଭାଗ୍ୟରେ ଜୁଟିନଥିଲା। ଏବେ ଦୀର୍ଘବର୍ଷ ପରେ ପୁଣି କର୍ଣ୍ଣାଟକର ଜଣେ ପୋଖତ ରାଜନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କଂଗ୍ରେସ ସମେତ ବିରୋଧୀ ମେଣ୍ଟ ପ୍ରଧାନମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣୁଛି।

ମଲ୍ଲିକାର୍ଜୁନଙ୍କ ଭାଗ୍ୟ ସାଥ୍ ଦେଲେ କଂଗ୍ରେସକୁ ଆସନ୍ତା ୨୦୨୪ ନିର୍ବାଚନରେ କମାଲ୍ କରିପାରେ ଏବଂ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com