Breaking NewsFeaturedରାଜନୀତି

NDA VS INDIA – କୁଆଡେ ଢଳିବେ ଜଗନ

ଜଗନ ମୋହନ ରେଡ୍ଡୀ । ରାଜନୀତିର ଏକ ଚର୍ଚ୍ଚିତ ନାମ । ୱାଇ.ଏସ.ଆର କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ୧୭ତମ ମୁଖ୍ୟମନ୍ତ୍ରୀ । ଯାହାଙ୍କ ନାଁରେ ସେମିତି କିଛି ବିବାଦ ନାହିଁ । ଜଣେ ସଫଳ ମୁଖ୍ୟମନ୍ତ୍ରୀ ଭାବରେ ସେ ବେଶ ପରିଚିତ । ଏହା ସହ ଜଗନଙ୍କ ଲୋକପ୍ରିୟତା ବି ଯଥେଷ୍ଟ । ହେଲେ ଏବେ ରାଜନୀତିକ ପାଣିପାଗ ଏମିତି ହୋଇଯାଇଛି ଯେ ତାଙ୍କର ନିଦ ହଜି ଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି । ୨୪ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ତାଙ୍କୁ ଆଉ ନିଦ ହଉନି । ସେ କେଉଁ କୂଳର ହେବେ, ତାକୁ ନେଇ ଘାରିଛି ଚିନ୍ତା । ଭଉଣୀ ଶର୍ମିଳାଙ୍କ ରାସ୍ତାରେ ଯିବେ ନା ବାପାଙ୍କ ପଦାଙ୍କ ଅନୁସରଣ କରିବେ, ଏଭଳି ଦ୍ୱନ୍ଦ୍ୱରେ ଜଗନ । ଆଉ ସବୁଠୁ ବଡ କଥା ହେଲା ବିରୋଧୀଙ୍କ ଆଇଏନଡିଆଇଏ ମେଂଟ ପାଇଁ ଅଡୁଆରେ ପଡିଯାଇଛନ୍ତି ଜଗନ । ପ୍ରଥମେ ଯଦି ଜଗନଙ୍କ ଭଉଣୀ କଥା କହିବା, ତେବେ ୱାଇ.ଏସ.ଆର ତେଲଙ୍ଗାନା ମୁଖ୍ୟ ହେଉଛନ୍ତି ୱାଇ.ଏସ ଶର୍ମିଳା ।

ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ସହ ହାତ ମିଶାଇବାକୁ ଚାହୁଁଥିଲେ । କିନ୍ତୁ ରାହୁଲ ଦେଇଥିଲେ ପଛଘୁଂଚା । ଏହାପରେ ତାଙ୍କ ଦଳ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ । ଯାହାକି ସୁହାଇଥିଲା କଂଗ୍ରେସକୁ । କୁହାଯାଉଥିଲା ଶର୍ମିଳାଙ୍କ ଭୋଟ ଯାଇଥିଲା କଂଗ୍ରେସ ଖାତାକୁ । ଯେଉଁଥିପାଇଁ ସଂଖ୍ୟାଗରିଷ୍ଠତା ହସଲ କରି ସରକାର ଗଢିଛି ଦଳ । ଏହାକୁ ଦେଖିଲେ ପ୍ରତ୍ୟକ୍ଷରେ ନହେଲେ ବି ଶର୍ମିଳା ପରୋକ୍ଷରେ କଂଗ୍ରେସକୁ ଜଣାଇଛନ୍ତି ସମର୍ଥନ । ତେଣୁ ଭଉଣୀଙ୍କ ଭଳି ତ୍ୟାଗ କରିବେ ନା ନାହିଁ ସେ ନେଇ ବି ଚିନ୍ତାରେ ଜଗନ । ଅନ୍ୟପଟେ ବାପା ରାଜଶେଖର ରେଡ୍ଡୀଙ୍କ ରାସ୍ତା ଦେଖିଲେ, ସେ ଥିଲେ କଂଗ୍ରେସର ଜଣେ ଟାଣୁଆ ନେତା । କଂଗ୍ରେସ ଟିକେଟରୁ ଲଢି ସେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ତେଣୁ ରାଜଶେଖରଙ୍କ କଂଗ୍ରେସ ପ୍ରିତୀ ଅଧିକା ।

ଏମିତି କି ତାଙ୍କ ସମୟରେ ଲୋକଙ୍କ ପାଇଁ ବିଭିନ୍ନ ୱେଲଫେୟାର ସ୍କିମ ବି କରିଛନ୍ତି ରାଜଶେଖର । ଫଳରେ ତାଙ୍କ ପରିବାର ପ୍ରତି ଲୋକଙ୍କ ରହିଛି ଢେର ଭଲପାଇବା । ସେପଟେ ଜଗନଙ୍କ ମାଆ ମଧ୍ୟ କଂଗ୍ରେସ ଆଡକୁ ଢଳିବା ପାଇଁ ଦେଉଛନ୍ତି ପରାମର୍ଶ । ପ୍ରଥମେ ରାଜଶେଖରଙ୍କ ଦେହାନ୍ତ ପରେ ଜଗନଙ୍କ ସାଥିରେ ରହିଥିଲେ ତାଙ୍କ ମାଆ ବିଜୟାମା । ପରେ ଆନ୍ଧ୍ର ଠାରୁ ତେଲଙ୍ଗାନା ଅଲଗା ହେବା ପରେ ସେ ତେଲଙ୍ଗନାରେ ଥିବା ଭଉଣୀ ଶର୍ମିଳାଙ୍କ ପାଖରେ ରହିଥିଲେ । କୁହାଯାଏ କି ତାଙ୍କ ପରାମର୍ଶରେ ହିଁ ଶର୍ମିଳା ଚଳାଉଛନ୍ତି ରାଜନୀତିକ ଗୋଟି ଚାଳନା । ଆଉ ଏବେ ସେ ଜଗନଙ୍କ ପାଖକୁ ଆସିଥିବାରୁ ବାପାଙ୍କ କଥା କହି ସେହି ସମାନ ପରାମର୍ଶ ଦେଉଛନ୍ତି ବିଜୟାମା । ତେଣୁ ଏବେ କଂଗ୍ରେସ ଓ ବିରୋଧୀଦଳଙ୍କ ମିଳିତ ମେଂଟ ଏକଜୁଟ ହୋଇଥିବାରୁ, ବଢିଛି ଜଗନଙ୍କ ଟେନସନ ।

ଏସବୁ ସତ୍ୱେ ଆଉ ଏକ କାରଣ ହେଉଛି ବିଜେପି । ୨୪ନିର୍ବାଚନ ପାଖେଇ ଆସୁଛି ଏବଂ ବିଜେପିର ଝଣ୍ଡା ବି ବଢୁଛି । ତେଣୁ ବିଜେପି ନେତୃତ୍ୱଧିନ ଏନଡିଏକୁ ଯିବେ ନା କଂଗ୍ରେସ ନେତୃତ୍ୱାଧିନ ଆଇଏନଡିଆଇରେ ସାମିଲ ହେବେ ? ନା ଓଡ଼ିଶାର ବିଜେଡି ଭଳି ସମଦୂରତା ବଜାୟ ରଖି ଭିତିରିଆ କାହାକୁ ସପୋର୍ଟ କରିବେ ? ଏହି ସବୁ କାରଣ ପାଇଁ ଏବେ ଦ୍ୱନ୍ଦ୍ୱରେ ଜଗନ । ଏଭଳି ଅଡୁଆ ପରିସ୍ଥିତିକୁ ଲକ୍ଷ୍ୟ କରି ରାଜନୈତିକ ବିଶାରଦ ମାନେ ମତ ଦେଉଛନ୍ତି ଯେ ଦୋ ଛକିରେ ରହିଛନ୍ତି ଜଗନ ମୋହନ ରେଡ୍ଡୀ ।

Related Articles

Back to top button
WP Twitter Auto Publish Powered By : XYZScripts.com