Breaking NewsFeaturedଓଡ଼ିଶାରାଜନୀତି

ନବୀନଙ୍କ ଲୋକପ୍ରିୟତା, ମୋଦି ମ୍ୟାଜିକ୍ ନା ରାହୁଲଙ୍କ ’ନ୍ୟାୟ ଯାତ୍ରା’ ହାୱା?

ପୋଛିନେବ ବିଜେଡି । ୧୨୫ରୁ ୧୩୦ ଆସନ ଦଖଲ କରିବ । ଲଗାତାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ବିଜେଡିର ବୟାନ ଏଭଳି କିଛି ସମ୍ଭାବନାକୁ ଦର୍ଶାଉଛି । ସେପଟେ ବିଜେପି ଦାବି କରୁଛି ମୋଦି ମ୍ୟାଜିକ ସାରା ଦେଶକୁ ଜଳକା କରିଦେବ, ଓଡ଼ିଶାରେ ବି କମ୍ପନ ସୃଷ୍ଟି ହେବ । ୮୦ ବିଧାନସଭା ଆଉ ୧୬ ଲୋକସଭା ଆସନରେ ବିଜୟ ବାନା ଉଡ଼ାଇବ। ଆଉ ପଛରେ ପଡ଼ିନି କଂଗ୍ରେସ, କହୁଛି, ୯୦ ଆସନରେ ଜିତି ସରକାର ଗଢ଼ିବ ଏଥର। ତେବେ କେଉଁ ଆକଳନ ସତ? କିଏ ମାରିବ ବାଜି? କିଏ ହେବ ସିକନ୍ଦର?

୨୦୨୪ ନିର୍ବାଚନର ବର୍ଷ । ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ବିଧିବଦ୍ଧ ବିଗୁଲ୍ ବାଜିପାରେ ଭୋଟ୍ ପାଇଁ । ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଏଥର କର ବା ମର ପରିସ୍ଥିତି । ୨୦୨୩ରୁ ହିଁ ଆରମ୍ଭ ହୋଇଯାଇଛି ସମରସଜ୍ଜା । ପୁରୁଣା ବିଜୟ-ପରାଜୟକୁ ଭୁଲି ନୂଆ ଇତିହାସ ଲେଖିବାକୁ ତିନି ଦଳ ରଣନୀତି ଚଳାଇଛନ୍ତି । ପଞ୍ଚମ ପାଳି ସାରି ଷଷ୍ଠ ପାଳି ସରକାର ଗଢ଼ିବାକୁ ବିଜେଡି କମର କଷି ଡେଇଁ ସାରିଲାଣି ମଇଦାନକୁ । ବିରୋଧୀଙ୍କୁ ବହୁ ପଛରେ ପକାଇ ନିଜ ରେକର୍ଡ ନିଜେ ଭାଙ୍ଗିବା ଲକ୍ଷ୍ୟରେ ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କଠିନ ପରିଶ୍ରମ ଦଳ ପାଇଁ ବଡ଼ ପୁଞ୍ଜି । ଏକଥା ପ୍ରମାଣିତ ହୋଇଛି ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ । ସମସ୍ତ ୩୦ଟି ଯାକ ଜିଲ୍ଲାକୁ ଦଖଲ କରିଛି ବିଜେଡି । ୮୫୨ରୁ ୭୬୬, ଅର୍ଥାତ୍ ପାଖାପାଖି ୯୦% ଜିଲ୍ଲା ପରିଷଦ ଜୋନ୍ରେ ବିଜୟୀ ହୋଇଛି । ପୌର ନିର୍ବାଚନରେ ୧୦୮ରୁ ୯୫ ପରିଷଦ ହାସଲ କରିଛି । ଏବେ ଜିଲ୍ଲା ୱାରି ପ୍ରକଳ୍ପ ଓ ଅନୁଦାନ ବର୍ଷା କରି ଚାଲିଛନ୍ତି ସରକାର । ‘ଆମ ଓଡ଼ିଶା ନବୀନ ଓଡ଼ିଶା, ମିଶନ ଶକ୍ତି ସ୍କୁଟର ଯୋଜନା ପରେ ଏବେ ବିଏସ୍କେୱାଇ-ନବୀନ କାର୍ଡ ଆଣିଛନ୍ତି ସରକାର । ଏସବୁ ଯୋଜନା ନିର୍ବାଚନରେ ସରକାରଙ୍କ ପାଇଁ ଟ୍ରମ୍ପ କାର୍ଡ ହେବ ବୋଲି କୁହାଯାଉଛି ।

ସେପଟେ ବିଜେପି ବି ନଛୋଡ଼ବନ୍ଦା । କେନ୍ଦ୍ରୀୟ ଟିମ୍ର ନଜର ରହିଛି ଓଡ଼ିଶା ଉପରେ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଧାୟକମାନଙ୍କୁ ଡାକି ଗୁରୁ ମନ୍ତ୍ର ଦେଇଛନ୍ତି । ୨୪ ନିର୍ବାଚନ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିପୁଳ ବିଜୟ ହାସଲ କରିବା ପରେ ଶିଖରରେ ପହଞ୍ଚିଛି ବିଜେପିର ଆତ୍ମ ବିଶ୍ୱାସ । ଓଡ଼ିଶା ଦଖଲ ବି ଅପହଞ୍ଚ ନୁହେଁ ବୋଲି ଦଳର ରାଜ୍ୟ ନେତାମାନେ କହୁଛନ୍ତି । ବର୍ଷ ସରିଲା ବେଳକୁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଜିଲ୍ଲାରୁ ରାଜ୍ୟସ୍ତର ନେତାଙ୍କ ସହ ତନାଘନା ବୈଠକ କରି ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ୨୦୨୪ ପାଇଁ । ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ଅଧ୍ୟକ୍ଷ ନଡ୍ଡାଙ୍କ ସମେତ କେନ୍ଦ୍ରୀୟ ନେତା ଆସିବେ ଓଡ଼ିଶା । ସିଧା ଓ ଶାଣିତ ଆକ୍ରମଣ କରିବେ ବିଜେଡି ସରକାରକୁ । ଦଳ ବୁଝି ସାରିଛି, ଆକ୍ରମଣ ଯେତେ ପ୍ରଚଣ୍ଡ ହେବ, ସରକାରୀ ବିରୋଧୀ ଭୋଟ ସେତେ ବିଜେପି ବକ୍ସକୁ ଆସିବ । ବିଜେଡିକୁ ଘେରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ କାନ୍ଧରେ ରହିବ ଗୁରୁ ଦାୟିତ୍ୱ । ବିଜେଡିରେ ଟିକଟ ବଣ୍ଟା ଅସନ୍ତୋଷ କୁହୁଳିଲେ, ସେଥିରୁ ଫାଇଦା ଉଠାଇବାକୁ ବିଜେପି ଆଶା ରଖିଛି ।

ସେହିପରି କଂଗ୍ରେସ ପାଇଁ ୨୦୨୪ ଯେମିତି ଅସ୍ତିତ୍ୱର ଲଢ଼େଇ । ୨୦୧୯ରେ ଦଳ ୨ରୁ ୩ ନମ୍ବରକୁ ଖସି ଯାଇଥିଲା । ବିଧାୟକ ସଂଖ୍ୟା ଦୁଇ ଅଙ୍କ ଛୁଇଁନଥିଲା । ଏଥର ପିସିସି ସଭାପତି ଶରତ ପଟ୍ଟନାୟକ ୯ରୁ ୯୦ ବିଧାୟକ ମିଶନ ଡାକରା ଦେଇଛନ୍ତି । ମାତ୍ର ଏ ଲକ୍ଷ୍ୟ ପଥ ଅତ୍ୟନ୍ତ କଠିନ ଓ ସଂଘର୍ଷପୂର୍ଣ୍ଣ । ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ନୂଆ ପ୍ରଭାରୀ ଅଜୟ କୁମାରଙ୍କ ପାଇଁ ୨୦୨୪ ଅଗ୍ନି ପରୀକ୍ଷାଠାରୁ କମ୍ ନୁହେଁ । ଦଳର ଅଧିକାଂଶ ପୁରୁଖା ନେତାଙ୍କ ପାଇଁ ଏହା ଶେଷ ସୁଯୋଗ । ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆଙ୍କ ଭଳି ବଡ଼ ନେତା ଯଦି ଏଥର କମାଲ୍ ଦେଖାଇପାରିବେନି, ହୁଏତ ତାଙ୍କ ରାଜନୀତି ବସ୍ତାନି ସବୁ ଦିନ ପାଇଁ ବନ୍ଧା ହୋଇଯିବ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି । ଦଳ ପାଇଁ ଏକମାତ୍ର ଆଶା- ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା । ଏ ଯାତ୍ରା ଓଡ଼ିଶାର ୬ଟି ଜିଲ୍ଲା ଦେଇ ଯାଇପାରେ । ତେବେ ରାହୁଲଙ୍କ ଯାତ୍ରାକୁ ଭୋଟରେ ରୂପାନ୍ତରଣ କରିବାକୁ ହେଲେ ଶରତ- ବିଜୟ ଯୋଡ଼ିକୁ ତେଲେଙ୍ଗାନାର ରେବନ୍ଥ ଭଳି ଦମ୍ ଦେଖାଇବାକୁ ପଡ଼ିବ। ଏଭଳି ରାଜନୀତିକ ଚର୍ଚ୍ଚା ଜୋର ଧରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com