Breaking NewsFeaturedରାଜନୀତି

କଂଗ୍ରେସକୁ ଝାଡ଼ିଦେଲେ ଜୟଶଙ୍କର

ଦିଲ୍ଲୀର ପ୍ରଗତି ମୈଦାନରେ ୯ ତାରିଖରୁ ହେବାକୁ ଯାଉଛି ଦୁଇଦିନିଆ ଜି-ଟ୍ୱେଣ୍ଟି ବୈଠକ । ଏଥିପାଇଁ ରାଷ୍ଟ୍ରପତିଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ନିମନ୍ତ୍ରଣ । ଯେଉଁଥିରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ଉଲ୍ଲେଖ ରହିଛି ପ୍ରେସିଡେଣ୍ଟ ଅଫ୍ ଭାରତ । ଏହାକୁ ନେଇ ବଢ଼ି ଚାଲିଛି ରାଜନୀତିକ ବିବାଦ । ଏପରିକି ଭାରତ ସରକାରଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଜି-ଟ୍ୱେଣ୍ଟି ବୈଠକକୁ ମଧ୍ୟ ଖୁବ୍ ସମାଲୋଚନା କରିଛନ୍ତି ବିରୋଧୀ । ତେବେ ଏନେଇ ମୁହଁ ଖୋଲିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର । ସେ କହିଛନ୍ତି ଯେ ଇଣ୍ଡିଆ ହେଉଛି ଭାରତ ଏବଂ ଏହା ସମ୍ବିଧାନରେ ଲେଖା ଅଛି । ତେଣୁ ସମସ୍ତଙ୍କୁ ସମ୍ବିଧାନ ପଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଜି-୨୦ ପ୍ରସ୍ତୁତିକୁ ନେଇ ସେ କହିଛନ୍ତି ଯେ ଏହା ଏକ ଅଲଗା ଯୁଗ, ଅଲଗା ସରକାର ଏବଂ ଅଲଗା ବିଚାର ପ୍ରକ୍ରିୟାର ସମୟ ।

ଖାଲି ସେତିକି ନୁହେଁ, ଭାରତ କହିଲେ ଏକ ବିଶେଷ ଅର୍ଥକୁ ବୁଝାଏ, ଏହା ଏକ ଅଲଗା ଭାବ ଓ ଅଲଗା ଅନୁଶୀଳନର ବାର୍ତ୍ତା ଦିଏ, ଯାହା ଆମର ସମ୍ବିଧାନରେ ପରିଲକ୍ଷିତ ବୋଲି ମନ୍ତ୍ରୀ ଜୟଶଙ୍କର କହିଛନ୍ତି । ପ୍ରଧାନମନ୍ତ୍ରୀ ଯେଉଁ ଉନ୍ନତ ଚିନ୍ତନ କରିଛନ୍ତି ଆମେ ସେହି ଦିଶାରେ କାମ କରୁଛୁ । ସେହିପରି ଜି-ଟ୍ୱେଣ୍ଟି ହେଉଛି ଏକ ରାଷ୍ଟ୍ରୀୟ ପ୍ରୟାସ । ଯେଉଁମାନଙ୍କୁ ଏବେ ବି ୧୯୮୩ ମସିହାରେ ଫସି ରହିବାକୁ ଇଚ୍ଛା ସେମାନଙ୍କୁ ସେହି ସ୍ଥାନକୁ ସ୍ୱାଗତ ବୋଲି କହି ବୈଦେଶିକ ମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶାସନ କାଳକୁ ଇଙ୍ଗିତ କରିଛନ୍ତି । ଏଭଳି ମାର୍ଜିତ ଓ ଶାଣିତ ଢଙ୍ଗରେ ମନ୍ତ୍ରୀ ପୂରା କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ତେବେ ସେ ଯାହା ହେଉ, ଇଣ୍ଡିଆ ଓ ଭାରତ ପ୍ରସଙ୍ଗକୁ ନେଇ ଜଣେ ପରେ ଜଣେ ରାଜନେତା ମୁହଁ ଖୋଲୁଥିବାବେଳେ ବୈଦେଶିକ ମନ୍ତ୍ରୀଙ୍କ ବୟାନକୁ ବିରୋଧୀ କିଭଳି ବିଚାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com