ଅନ୍ତର୍ଜାତୀୟଜାତୀୟ

ପ୍ୟାରିସ୍ ପାରାଲିମ୍ପିକ୍‌ରେ ପ୍ରବୀଣଙ୍କ ସ୍ୱର୍ଣ୍ଣିମ ପ୍ରଦର୍ଶନ

ପ୍ୟାରିସ୍‌: ଭାରତୀୟ ଖେଳାଳିଙ୍କ ପାରାଲିମ୍ପିକ୍ ୨୦୨୪ରେ ଚମତ୍କାର ପ୍ରଦର୍ଶନ ଜାରୀ ରହିଛି । ଶୁକ୍ରବାର ପୁରୁଷ ହାଇ ଜମ୍ପ୍ ଟି୬୪ ବର୍ଗରେ ଭାରତୀୟ ପାରା ଆଥ୍‌ଲେଟ୍ ପ୍ରବୀଣ କୁମାର (ଟି୪୪) ଏସୀୟ ରେକର୍ଡ ଭଙ୍ଗକରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ୟାରିସ୍ ପାରାଲିମ୍ପିକ୍‌ରେ ଏହା ଭାରତର ଷଷ୍ଠ ସ୍ୱର୍ଣ୍ଣ ପଦକ । ପ୍ରଥମ ଥର ପାଇଁ ଭାରତ ପାରାଲିମ୍ପିକ୍ ଗେମ୍ସରେ ୬ ସ୍ୱର୍ଣ୍ଣ ପଦକ ଜିତିଛି । ଏହା ପୂର୍ବରୁ ଭାରତ ଟୋକିଓରେ ୫ ସ୍ୱର୍ଣ୍ଣ ପଦକ କବ୍‌ଜା କରିଥିଲା।

୨୧ ବର୍ଷୀୟ ପ୍ରବୀଣ ୨.୦୮ ମିଟର ବେଷ୍ଟ ଜମ୍ପ୍ ସହ ସ୍ୱର୍ଣ୍ଣ ପଦକ କବ୍‌ଜା କରିଛନ୍ତି । ଏହି ଇଭେଣ୍ଟ୍‌ରେ ଆମେରିକାର ଡେରେକ୍ ଲକିଡେଣ୍ଟ୍ (୨.୦୬ ମି.) ରୌପ୍ୟ ଏବଂ ଉଜ୍‌ବେକିସ୍ତାନର ଟେମୁରବେକ୍ ଗିଆଜୋଭ୍ (୨.୦୩ ମି.) ବ୍ରୋଞ୍ଜ୍ ପଦକ ନିଜ ନାମରେ କରିଛନ୍ତି । ପ୍ରବୀଣଙ୍କ ସ୍ୱର୍ଣ୍ଣ ସହ ପ୍ୟାରିସ୍ ପାରାଲିମ୍ପିକ୍‌ରେ ଭାରତର ପଦକ ସଂଖ୍ୟା ୨୬ରେ ପହଞ୍ଚିଛି ।

ଭାରତ ବର୍ତ୍ତମାନ ସୁଦ୍ଧା ୬ ସ୍ୱର୍ଣ୍ଣ, ୯ ରୌପ୍ୟ ଏବଂ ୧୧ ବ୍ରୋଞ୍ଜ୍ ପଦକ ଜିତିସାରିଛି। ୨୬ ପଦକ ସହ ଭାରତ ପଦକ ତାଲିକାର ୧୪ଶ ସ୍ଥାନରେ ରହିଛି। ଚଳିତ ଗେମ୍ସରେ ଆଥ୍‌ଲେଟିକ୍ସରେ ଏହା ଭାରତର ୧୪ଶ ପଦକ। ପାରାଲିମ୍ପିକ୍ ଗେମ୍ସରେ ଭାରତ ବର୍ତ୍ତମାନ ସୁଦ୍ଧା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହା ପୂର୍ବରୁ ଟୋକିଓ ପାରାଲିମ୍ପିକ୍‌ରେ ଭାରତ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୬ ବ୍ରୋଞ୍ଜ୍ ସହ ମୋଟ ୧୯ ପଦକ ଜିତି ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା।

ପାରା -ଆଥ୍‌ଲେଟ୍ ମୁରଲୀକାନ୍ତ ପାଟକର ୧୯୭୨ ପାରାଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ମୁରଲୀକାନ୍ତ ପାଟକର ସେହି ଖେଳାଳି, ଯାହା ଜୀବନୀ ଉପରେ ନିକଟରେ ‘ଚନ୍ଦୁ ଚାମ୍ପିଅନ୍‌’ ଫିଲ୍ମ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱର୍ଣ୍ଣ ପଦକ ଜିତିବା ନେଇ ପ୍ରବୀଣଙ୍କୁ ବଧେଇ ଜଣାଇଛନ୍ତି।

ଏକ୍ସ’ରେ ସେ ଲେଖିଚନ୍ତି, ନୂଆ ଉଚ୍ଚତାକୁ ଛୁଇଁବା ଏବଂ ଉଚ୍ଚ ଡିଆଁ (ହାଇ ଜମ୍ପ୍‌) ଟି୬୪ରେ ସ୍ୱର୍ଣ୍ଣ ପଦକ ବିଜୟ ପାଇଁ ପ୍ରବୀଣ କୁମାରଙ୍କୁ ବଧେଇ । ତାଙ୍କର ଦୃଢ଼ ସଙ୍କଳ୍ପ ଏବଂ ଦୃଢ଼ତା ଆମ ଦେଶକୁ ଗୌରବାନ୍ୱିତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com