ଓଡ଼ିଶା

ଏଣିକି ଶ୍ରୀମନ୍ଦିରର ରୋଷ ପାଇଁ ଲୁହା କଡ଼େଇ ବ୍ୟବହାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ; ଡ.ଅରବିନ୍ଦ ପାଢୀ

ପୁରୀ: ଶ୍ରୀମନ୍ଦିରର ରୋଷ ପାଇଁ କିଛି ସୁପକାରଙ୍କ ଲୁହା କଡ଼େଇ ବ୍ୟବହାର କରୁଥିବା ନେଇ ଆସିଲା ଅଭିଯୋଗ l ଏନେଇ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ କିଛି ସୁପକାର ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି l

ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରି ଏହାକୁ ନିବାରଣ କରିବା ସହ କଡ଼େଇ ଜବତ କରି 7 ଦିନ ଭିତରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି l ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଏବଂ ଦେଉଳକରଣ ପ୍ରତିଦିନ ରୋଷଶାଳା ତନଖି କରି ଲୁହା କଡ଼େଇ ଜବତ କରି ବାକୁ ମଧ୍ୟ ଜଣାଇଦିଆଯାଇଛି l

ଏହି ସମ୍ପୃକ୍ତ ସେବକ ଙ୍କ ଦ୍ଵାରା କଡ଼େଇ ଜବତ କାର୍ଯ୍ୟ ସମ୍ପାଦନ କରି କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର କମାଣ୍ଡର, ବରିଷ୍ଠ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ l ଏହି କାର୍ଯ୍ୟର ନିରୀକ୍ଷଣ କରି ରିପୋର୍ଟ ଦାଖଲ ପାଇଁ ସୁରକ୍ଷା ପ୍ରଶାସକ ଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ l ଶ୍ରୀମନ୍ଦିର ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପରମ୍ପରା ବିରୋଧୀ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ ଡ.ପାଢୀ l

Related Articles

Back to top button
WP Twitter Auto Publish Powered By : XYZScripts.com