ନୂଆଦିଲ୍ଲୀ: ଇଲିଶି ରପ୍ତାନୀ ଉପରେ ଲଗାଇଥିବା କଟକଣାକୁ ଉଠାଇଲା ବାଂଲାଦେଶ। ପୁଣି ଭାରତକୁ ଇଲିଶି ପଠାଇବ ବାଂଲାଦେଶ । ମହମ୍ମଦ ୟୁନୁସ ସରକାର ଚଳିତ ବର୍ଷ ଘରୋଇ ବଜାରରେ କାରବାର ବଢେଇବା ପାଇଁ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ।
ହେଲେ ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଲାଗିଥିବା କଟକଣା ଉଠାଇଛନ୍ତି ବାଂଲାଦେଶ ସରକାର । ଦୁର୍ଗାପୂଜା ଅବସରରେ ୩ହଜାର ମେଟ୍ରିକ ଟନ୍ ଇଲିଶି ମାଛ ରପ୍ତାନୀକୁ ମଞ୍ଜୁର ଦେଇଛନ୍ତି ବାଂଲାଦେଶ ସରକାର । ବଜାରରେ ଅଭାବି ବିକ୍ରି ସହିତ ଦର ଅଧିକ ଥିବାରୁ ବାଂଲାଦେଶ ଅନ୍ତରୀଣ ସରକାର ଇଲିଶି ରପ୍ତାନୀ ଉପରେ କଟକଣା ଲଗାଇଥିଲେ ।
ସ୍ଥାନୀୟ ଗ୍ରାହକଙ୍କୁ ପର୍ଯ୍ୟାପ୍ତ ଯୋଗାଣ ପାଇଁ ଇଲିଶି ମାଛ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏବେ ସେହି କଟକଣାକୁ ଉଠାଇଛନ୍ତି ବାଂଲାଦେଶ ସରକାର । ତେବେ ସବୁ ଥର ପରି ଏଥର ମଧ୍ୟ ବଙ୍ଗାଳୀମାନଙ୍କ ହାଣ୍ଡିଶାଳରେ ବାସିବ ଇଲିଶି ମାଛ ।
ସାଧାରଣତଃ ପାର୍ବଣ ଋତୁରେ ପଶ୍ଚିମବଙ୍ଗ ସମେତ ଦେଶର ଅନ୍ୟ ରାଜ୍ୟରେ ଏହି ବାଂଲାଦେଶୀ ଇଲିଶି ଖାଇବାକୁ ଲୋକେ ବେଶ୍ ପସନ୍ଦ କରିଥାନ୍ତି । ଦୁର୍ଗାପୂଜାରେ ବଙ୍ଗାଳୀମାନେ ସାଧାରଣତଃ ଖିଚିଡ଼ି ସହ ଇଲିଶି ଖାଇବାକୁ ପସନ୍ଦ କରିଥାନ୍ତି ।
ଗତବର୍ଷ ପାର୍ବଣ ଋତୁରେ ଭାରତ ବାଂଲାଦେଶରୁ ୪ ହଜାର ଟନ୍ ଇଲିଶି ଆମଦାନୀ କରିଥିଲା । ୨୦୨୩ରେ ମନ୍ତ୍ରଣାଳୟ ୭୯ କମ୍ପାନୀକୁ ଭାରତକୁ ୫୦ ଟନ୍ ଇଲିଶି ମାଛ ରପ୍ତାନୀ ପାଇଁ ଅନୁମତି ଦେଇଥିଲା । ବିଶ୍ବର ପ୍ରାୟ ୭୦ ପ୍ରତିଶତ ଇଲିଶି କେବଳ ଉତ୍ପାଦନ ହୋଇଥାଏ ବାଂଲାଦେଶରେ ।