ଓସ୍କାର ପାଇଁ ମନୋନୀତ ‘ଲାପତା ଲେଡିଜ୍’; କିରଣ ରାଓଙ୍କ ପାଇଁ ଖୁସି ଖବର,
ମୁମ୍ବାଇ: ଲାପତା ଲେଡିଜର ନିର୍ମାତାଙ୍କ ପାଇଁ ଖୁସିର ଖବର । କିରଣ ରାଓ ନିର୍ଦେଶିତ ଚଳଚ୍ଚିତ୍ର ‘ଲାପତା ଲେଡିଜ୍’ ୨୦୨୫ ଓସ୍କାର ରେସ୍ରେ ସାମିଲ ହେଲା ଫିଲ୍ମ ଲାପତା ଲେଡିଜ୍ । ଏନେଇ ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୋମବାର ଘୋଷଣା କରାଯାଇଛି ।
ଅନ୍ୟପଟେ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ ପରେ ଫିଲ୍ମକୁ ଏପରି ସଫଳତା ମିଳିଛି । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା କରାଯାଇଛି । ‘ଲାପତା ଲେଡିଜ୍’ ୨୯ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇଛି ।
ଏହି ତାଲିକାରେ ବଲିଉଡର ବ୍ଲକବଷ୍ଟର ହିଟ୍ ଫିଲ୍ମ ‘ଆନିମଲ’, ମାଲାୟଲମ୍ର ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଅଟ୍ଟମ୍’ ଏବଂ କାନ୍ସ ବିଜେତା ‘ଅଲ୍ ଓ୍ୱି ଇମାଜିନ୍ ଇଜ୍ ଲାଇଟ୍’ ମଧ୍ୟ ରହିଥିଲା । ହେଲେ ସବୁ ଫିଲ୍ମକୁ ପଛରେ ପକାଇ ଲାପତା ଲେଡିଜ୍ ଏହି ସଫଳତା ହାସଲ କରିଛି । ଶ୍ରେଷ୍ଠ ହଲିଉଡ୍ ଫିଲ୍ମ କାଟାଗୋରୀରେ ମନୋନୀତି ହୋଇଛି ଲାପତା ଲେଡିଜ୍ ।
ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି ଅମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ ‘ଲାପତା ଲେଡିଜ୍’କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ଅମୀର ଖାନ ପ୍ରଡକ୍ସନ୍ସରେ ନିର୍ମିତ ଏହି ଫିଲ୍ମରେ ପ୍ରତିଭା ରାଣା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ନୀତାଂଶି ଗୋୟଲ ମୁଖ୍ୟ କଳାକାର ରୂପେ ଅଭିନୟ କରିଛନ୍ତି ।
ଏହି ଫିଲ୍ମର ଅଭିନେତା ରବି କିଶନ ଏବଂ ଛାୟା କଦମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଲାପତା ଲେଡିଜର ବଜେଟ୍ ୪ରୁ ୫ କୋଟିରେ ନିର୍ମିତ ହୋଇଥିଲା । ଯାହାକି ବକ୍ସ ଅଫିସରେ ୨୫ରୁ ୨୬ କୋଟି ଆୟ କରିଥିଲା ।
ନେଟ୍ଫିକ୍ସରେ ଫିଲ୍ମକୁ ରିଲିଜ୍ କରାଯାଇଥିଲା । ଯାହାର ଅବଧି ୧୨୪ ମିନିଟ୍ ରହିଥିଲା । ଜିଓ ଷ୍ଟୁଡିଓଜ୍ ଏବଂ ଅମୀର ଖାନ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଏକାଡେମୀ ଆଓ୍ବାର୍ଡରେ ଦେଶର ପ୍ରତିନିଧିତ୍ୱ କରିବ ।
ଫେଡେରେସନ ନିକଟକୁ ଚଳିତ ବର୍ଷ ୨୯ଟି ଚଳଚ୍ଚିତ୍ରର ତାଲିକା ଆସିଥିବାବେଳେ ସେଥି ମଧ୍ୟରୁ ମନୋନୀତ ହୋଇଛି ଦେଶୀ କାହାଣୀ ‘ଲାପତା ଲେଡିଜ୍’ । ଏହି ୨୯ ଚଳଚ୍ଚିତ୍ର ମଧ୍ୟରେ ‘ଆନିମଲ୍’, ‘କଳ୍କି ୨୮୯୮ ଏଡି’, ‘ଚନ୍ଦୁ ଚମ୍ପିଆନ୍’, ‘ଶ୍ରୀକାନ୍ତ’ ଏବଂ ‘ମୈଦାନ’ ଆଦି ଚଳଚ୍ଚିତ୍ର ସାମିଲ ଥିଲା । ଏସମସ୍ତ ଫିଲ୍ମକୁ ପଛରେ ପକାଇ ବାଜି ମାରିଛି ‘ଲାପତା ଲେଡିଜ୍’ ।