କଟକ-ଭୁବନେଶ୍ୱର ଦାୟିତ୍ବଭାର ଗ୍ରହଣ କଲେ ନୂଆ ପୁଲିସ କମିଶନର
ଭୁବନେଶ୍ବର: ନୂଆ ପୋଲିସ୍ କମିଶନର ବା ସିପି ଭାବେ ଦାୟିତ୍ବ ନେଲେ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହ । ଭୁବନେଶ୍ଵର-କଟକ କମିଶନରେଟ ପୁଲିସର କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l
ଏହି ଅବସରରେ ନୂଆ କମିଶନର ଅନ୍ୟ ଅଧିକାରୀମାନଙ୍କ ସହିତ ହାତ ମିଳାଇ ପରିଚିତ ହୋଇଥିଲେ । ପୂର୍ବତନ ପୋଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ଦେବଦତ୍ତ ସିଂହ । ତେବେ ଗତକାଲି ଆଇପିଏସ୍ ସ୍ତରରେ ବଡ ଅଦଳିବଦଳି କରିଥିଲେ ରାଜ୍ୟ ସରକାର ।
ଦ୍ବୈତନଗରୀ ପୁଲିସ କମିଶନର ପଦବିରୁ ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମୀ ବିପିଏସ୍ପିଏର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ସ୍ଥାନରେ ପୁଲିସ କମିଶନର ଭାବେ ସୁରେଶ ଦେବଦତ୍ତ ସିଂଙ୍କୁ ନିଯୁକ୍ତି ମିଳିଥିଲା ।
୧୯୯୮ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହ ଆଜି ବିଧିବଦ୍ଧ ଭାବେ ପୋଲିସ୍ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଅନ୍ୟପଟେ ଭୁବନେଶ୍ଵର ଡିସିପି ଥିବା ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି କରିଦିଆଯାଇଛି ।
ପୁରୀ ଏସପି ଥିବା ପିନାକ ମିଶ୍ରଙ୍କୁ ଭୁବନେଶ୍ଵର ଡିସିପି ଭାବେ ନିଯୁକ୍ତ କରାଯାଇଛି । ଭରତପୁର ଘଟଣାରେ ଡିସିପିଙ୍କ ତରବରିଆ ମନ୍ତବ୍ୟ ଏବଂ ପୁଲିସର ଦାୟିତ୍ଵହୀନତା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।