![](https://i0.wp.com/odia.mobilenews24x7.com/wp-content/uploads/2024/10/Screenshot-2024-10-08-105632.png?resize=397%2C222&ssl=1)
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ହୋଇଥିବା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ଆଜି ଆସିବ ନିର୍ବାଚନ ଫଳାଫଳ । ନିର୍ବାଚନ ଫଳ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ତୀବ୍ର ଉତ୍କଣ୍ଠା । ତେବେ ଏନେଇ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି ।
ପ୍ରାରମ୍ଭିକ ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ମେଣ୍ଟ ଆଗୁଆ ରହିଛି । ଏନସି ମେଣ୍ଟ ୪୭ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୫ସିଟରେ ଓ ପିଡିପି ୩ଟି ସିଟରେ ଆଗୁଆ ରହିଛି । ତେବେ କିଏ ଏଠାରେ ସରକାର ଗଢିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପକ୍ଷେ ଏଠି କହି ରଖୁଛୁ ଯେ, ୨୦୧୯ରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ ।
୯୦ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ୩ ପର୍ଯ୍ୟାୟରେ ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ରେ ମତଦାନ ହୋଇଥିଲା । ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଏବଂ କଂଗ୍ରେସ ସେଠାରେ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ମେହବୁବା ମୁଫ୍ତି ପ୍ରମୁଖ ହାଇପ୍ରୋଫାଇଲ ନେତା ନିର୍ବାଚନ ପ୍ରଚାରରେ ସକ୍ରିୟ ଭାବେ ସାମିଲ ହୋଇଥିଲେ ।
ମୋଟାମୋଟି ମତଦାନ ହାର ୬୩.୮୮ ପ୍ରତିଶତ ଥିଲା । ଏକ୍ଜିଟ ପୋଲ୍ ସର୍ଭେ ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଝୁଲା ବିଧାନସଭା ହୋଇପାରେ । କଂଗ୍ରେସ-ଏନ୍ସି ମେଣ୍ଟକୁ ସର୍ବାଧିକ ୪୩ ଆସନ ମିଳିବାକୁ ଥିବାବେଳେ ଭାଜପା ୨୭, ପିଡିପି ୭ ଏବଂ ଅନ୍ୟାନ୍ୟ ଦଳକୁ ୧୩ ଆସନ ମିଳିବ ବୋଲି ଏଥିରେ ପୂର୍ବାନୁମାନ କରାଯାଇଥିଲା l