ଜାତୀୟବାଣିଜ୍ୟ

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ, ରତନଙ୍କ ସମ୍ପର୍କରେ କିଏ, ଜାଣନ୍ତୁ

ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ନୋଏଲ ଟାଟା । ରତନ ଟାଟାଙ୍କ ଦେହାନ୍ତ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏହାପରେ କିଏ ତାଙ୍କ ୧୩ଟି ଟ୍ରଷ୍ଟର ଅଧ୍ୟକ୍ଷ ହେବେ ସେନେଇ କଳ୍ପନା-ଜଳ୍ପନା ଲାଗି ରହିଥିଲା । ବୈଠକ ପରେ ନୋଏଲ ଟାଟାଙ୍କୁ ଦାୟିତ୍ୱ ଦେବା ନେଇ ନିଷ୍ପତ୍ତି ନିଆଯାଇଛି l ରତନ ଟାଟାଙ୍କ ପରେ ତାଙ୍କୁ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ କରାଯାଇଛି ।

ସୂଚନା ମୁତାବକ, ଆଜି ମୁମ୍ବାଇରେ କମ୍ପାନୀ ଟ୍ରଷ୍ଟ ବୋର୍ଡର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ନୋଏଲ ଟାଟାଙ୍କ ନାଁରେ ମୋହର ବାଜିଥିଲା । ତେଣୁ ସେ ଟାଟା ଟ୍ରଷ୍ଟର ପରବର୍ତ୍ତୀ ଅଧ୍ୟକ୍ଷ ହୋଇଛନ୍ତି । ଟାଟା ଗ୍ରୁପର ମାଲିକ ଦିବଂଗତ ରତନ ଟାଟା ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇ ଆସିଥିଲେ । କିନ୍ତୁ ତାଙ୍କର କେହି ଉତ୍ତରାଧିକାରୀ ନ ଥିବାରୁ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେନେଇ ବୋର୍ଡର ବୈଠକ ବସିଥିଲା । ବୋର୍ଡ ବୈଠକର ନିଷ୍ପତ୍ତି କ୍ରମେ ନୋଏଲ ଟାଟା ହୋଇଛନ୍ତି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ।

ଅନ୍ୟପଟେ ୪୦ ବର୍ଷର ଅଭିଜ୍ଞତା ଥିବା ନୋଏଲ ସର୍ବସମ୍ମତିରେ ନିଯୁକ୍ତ ହୋଇଥିବା ନେଇ ସୂଚନା ମିଳିଛି । ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାନ ଭାଇ(ସାବତ ଭାଇ) । ନୋଏଲ ଟାଟା ସାର୍‌ ରତନ ଟାଟା ଟ୍ରଷ୍ଟ ଏବଂ ସାର ଦୋରାବଜୀ ଟାଟା ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଥିଲେ । ନୋଏଲ ବର୍ତ୍ତମାନ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ, ଭୋଲଟାସ ଲିମିଟେଡ, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡର ଅଧ୍ୟକ୍ଷ ଅଛନ୍ତି ଏବଂ ଟାଇଟନ କମ୍ପାନୀର ଉପାଧ୍ୟକ୍ଷ ମଧ୍ୟ ରହିଛନ୍ତି ।

ତେବେ ରତନ ଟାଟାଙ୍କ ନିଧନ ପରେ ସେ ଟାଟା ପରିବାରର ମଙ୍ଗ ଧରିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ବୁଧବାର ରାତିରେ ବିୟୋଗ ଘଟିଥିଲା । ଶାନ୍ତ, ସରଳ ଓ ଦୟାଳୁ ସ୍ଵଭାବର ବ୍ୟକ୍ତି ଭାବେ ସେ ସର୍ବତ୍ର ପରିଚିତ ଥିଲେ । ଜୀବନସାରା ସେ ଜନସେବାରେ ନିଜକୁ ବ୍ରତୀ କରାଇଥିଲେ। ନିଜ ଆୟର ୬୫ ପ୍ରତିଶତ ଅଂଶକୁ ସେ ସମାଜସେବାରେ ବିନିଯୋଗ କରୁଥିଲେ । ଗୁରୁବାର ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଅନ୍ତିମ ସଂସ୍କାର ପୂର୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେ​‌ଷ ତାଙ୍କର ଶେଷ ଦର୍ଶନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com