Uncategorizedଓଡ଼ିଶା

ଆଜି ମେଲାଣି ନେବେ ଜଗତ ଜନନୀ ମା’ ଦୁର୍ଗା; କଣ ରହିଛି ଟ୍ରାଫିକ୍ କଟକଣା…ଜାଣନ୍ତୁ

ଭୁବନେଶ୍ବର: ମେଲାଣି ନେବେ ଜଗତ ଜନନୀ ମା’ ଦୁର୍ଗା । ୯ ଦିନ ଧରି ମଣ୍ଡପରେ ଭକ୍ତଙ୍କୁ ନିଜର ଦୁର୍ଲଭ ରୂପର ଦର୍ଶନ କରାଇବା ପରେ ଆଜି ବିଦାୟ ନେବେ ମା’ ଦୁର୍ଗତୀନାଶିନୀ । ମା’ଙ୍କୁ ମେଲାଣି ଦେବାରେ ମନରେ ଯେତିକି ଦୁଃଖ ରହିଛି, ବିଦାୟ ନେଲେ ପୁଣି ଆର ବରଷକୁ ମା’ ଆସିବେ ତା’ର ଉତ୍କଣ୍ଠା ମଧ୍ୟ ରହିଛି । ଏଥିପାଇଁ ଭସାଣୀ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।

ସେପଟେ କଟକ-ଭୁବନେଶ୍ୱରରେ ଭାସାଣି ପାଇଁ ଟ୍ରାଫିକ କଟକଣା ଜାରୀ କରିଛି କମିଶନରେଟ ପୋଲିସ । ଅପରାହ୍ନ ୩ ଟାରୁ ରାତି ୧ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି ରହିବ । ଭୁବନେଶ୍ୱରରେ ଚାରୋଟି ସ୍ଥାନରେ ହେବ ଭାଷଣ କାର୍ଯ୍ୟକ୍ରମ । ସହିଦନଗର ଭସାଣ କାର୍ଯ୍ୟକ୍ରମ ପାଇଁ ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌ ରହିବ । ଉତ୍ତର ଭୁବନେଶ୍ବର ଭସାଣୀ କମିଟି ଚନ୍ଦ୍ରଶେଖରପୁରରେ ଭସାଣି ଯାତ୍ରା ଚାଲୁଥିବା ସମୟରେ କିଟ୍ ଛକ ପଟୁ ନାଲକୋ ଛକ ଆଡକୁ କୌଣସି ଯାନବାହାନ ଯିବାକୁ ଦିଆଯିବ ନାହିଁ । ସେହି ଗାଡିଗୁଡିକ ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଯାଇପାରିବେ ।

ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି, ନୟାପଲ୍ଲୀରେ ଭସାଣୀ ଯାତ୍ରା ଚାଲୁଥିବା ସମୟରେ ସିଆରପି ପଟୁ କଟକ ଆଡକୁ ଯିବାକୁ ଚାହୁଁଥିବା ଯାନବାହାନ ଗୁଡିକ ସିଆରପି ଛକ ଠାରୁ ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଦେଇ ଯାଇପାରିବେ । ଏହି ଭସାଣୀ ଯାତ୍ରା ସମୟରେ ଷ୍ଟୁଆର୍ଟ ସ୍କୁଲ ରାସ୍ତା, ୟୁନିଟ-୮ ରାସ୍ତା, ଓ.ୟୁ.ଏ.ଟି. ରାସ୍ତା ଏବଂ ନିୟୁ ଏୟାରପୋର୍ଟ ରାସ୍ତା ଦେଇ ଆସୁଥିବା ଯାନବାହାନ ଗୁଡିକୁ ଆବଶ୍ୟକ ଅନୁଯାଇ ଡାଇଭରସନ କରାଯିବ ।

ଖୋର୍ଦ୍ଧା ପଟୁ ଆସୁଥିବା ଭାରି ଯାନବାହନ ଗୁଡିକ ଫାୟାର ଷ୍ଟେସନ୍‌ ଛକ ଠାରୁ ଫ୍ଲାଏ ଓଭାର ବ୍ରିଜ ଦେଇ ଯାଇପାରିବେ । ସେମାନଙ୍କୁ ସର୍ଭିସ ରୋଡରେ ଯିବାକୁ ଦିଆଯିବ ନାହିଁ । ଏହି କଟକଣା ଗୁଡିକ ପୁଲିସ, ଫାୟାର ବ୍ରିଗେଡେ, ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡି ଗୁଡିକ ପାଇଁ ଲାଗୁ ହେବ ନାହିଁ । ସେପଟେ ମା’ଙ୍କୁ ବିସର୍ଜନ ପାଇଁ ରାଜଧାନୀରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଛି । ଦୟା ନଦୀ, କୁଆଖାଇ, ଟଙ୍କପାଣି ସାଇମନ୍ଦିର ଆଦି ସ୍ଥାନରେ ଅସ୍ଥାୟୀ ପୋଖରୀ ଖୋଳା ଯାଇଛି । ଏହା ସହ ସବୁ ସ୍ଥାନମାନଙ୍କରେ ପୋଲିସ ଓ ଅଗ୍ନିଶମ ବାହିନୀ ମୁତୟନ ରହିବେ ।

ତେବେ ଗତକାଲି ଠାରୁ କିଛି କିଛି ସ୍ଥାନରେ ମା’ଙ୍କୁ ବିସର୍ଜନ କରାଯାଇଥିବା ବେଳେ ଆଜି ଅଧିକାଂଶ ସ୍ଥାନରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କଟକରେ ସକାଳୁ ସକାଳୁ ଢୋଲ ନଗାଡାରେ ପ୍ରକମ୍ପିତ କଟକ । ପ୍ରୋସେସନ ସହ ମେଲାଣି ଯାତ୍ରାରେ ବାରି ଗଲେଣି ମା’ ଜଗତଜନନୀ ।

ସେହିଭଳି କଟକରେ କଲେଜ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ କୌଣସି ଯାନବାହନ ଯାତାୟତ କରିବ ନାହିଁ । ସେହିଭଳି ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com