ନୂଆଦିଲ୍ଲୀ: ଆଉ ଅଳ୍ପଦିନ ରହିଲା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ l ଏହାରି ମଧ୍ୟରେ ଆରମ୍ଭ ହୋଇଛି ସବୁ ଦଳ ଭିତରେ ଅଙ୍କ କଷା l ଏନେଇ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଇଣ୍ଡି ମେଣ୍ଟରେ ଆସନ ବୁଝାମଣାକୁ ନେଇ ବିବାଦ ଦେଖାଦେଇଛି । ସହଯୋଗୀ ଦଳଙ୍କ ସହ ଆଲୋଚନା କରି କଂଗ୍ରେସ ଏକ ଫର୍ମୁଲା ବାହାର କରିଥିଲା । ଆଉ ଏହା ଆଧାରରେ ଆସନ ବୁଝାମଣା ନେଇ ଏକପ୍ରକାର ସହମତି ପ୍ରକାଶ ପାଇଛି ବୋଲି କୁହାଯାଉଥିଲା । କିନ୍ତୁ ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଆଉ ଦୁଇଟି ସିଟ୍ ଦାବି କରିଛି ।
ଝାଡ଼ଖଣ୍ଡରେ ଇଣ୍ଡି ମେଣ୍ଟ ପକ୍ଷରୁ ଜେଏମଏକୁ ୪୩ ଆସନ (ପୂର୍ବ ଥର ୪୩), କଂଗ୍ରେସକୁ ୨୯ (ପୂର୍ବ ଥର ୩୧), ଆରଜେଡିକୁ ୫ (୨୦୧୯ରେ ୭ ଆସନ) ଏବଂ ସିପିଏମ ଏମଏଲ୍କୁ ୪ଟି ଆସନ ଦେବା ଲାଗି ସହମତି ହୋଇଥିଲା । ତେବେ ପ୍ରଥମ ଥର ଇଣ୍ଡି ମେଣ୍ଟରେ ସାମିଲ ହୋଇଛି ସିପିଆଇ ଏମଏଲ । ଶୁକ୍ରବାର ଜମୁଆର ବିଜେପି ବିଧାୟକ କେଦାର ହାଜରା ଏବଂ ଆଜସୁର ପୂର୍ବତନ ବିଧାୟକ ଉମାକାନ୍ତ ରଜକ ଜେଏମଏମରେ ସାମିଲ ହୋଇଛନ୍ତି । ଏହାପରେ ଜେଏମଏମର ଆଉ ଦୁଇଟି ଆସନ ଦାବି କରୁଛି ।
ଏହାକୁ ନେଇ ଇଣ୍ଡି ମେଣ୍ଟରେ ଆସନ ବୁଝାମଣାକୁ ନେଇ ପୁଣି ଥରେ ଅସବୁଧା ଦେଖା ଦେଇଛି । ଏହାରି ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦାବି କରିଛନ୍ତି ଯେ, ଜେଏମଏମ ନେତୃତ୍ବାଧୀନ ମେଣ୍ଟ ପୁଣି ଥରେ ଶାସନକୁ ଫେରିବ । ସେ କରିଥିବା ବିକାଶ କାର୍ଯ୍ୟ ଉପରେ ତାଙ୍କର ବିଶ୍ବାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି । ସେପଟେ ଆସନ ବୁଝାମଣାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋଚନା ଶେଷ ହୋଇଛି ଉଚିତ ସମୟରେ ଘୋଷଣା ହେବ ।
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କେବଳ ଏକ ରାଜନୈତିକ ଦଳ ନୁହେଁ ଗୋଟିଏ ବିଶାଳ ଗଛ । ଏହି ଗଛ ମୂଳେ ରାଜ୍ୟର ପ୍ରାୟ ୩ କୋଟି ଲୋକ ଶାନ୍ତି ଏବଂ ସଦଭାବନାରେ ବସବାସ କରୁଛନ୍ତି । ଜେଏମଏମ ସରକାର ଆଦିବାସୀ, ବଞ୍ଚିତ ଏବଂ ଗରିବଙ୍କ ସମେତ ସବୁ ବର୍ଗର ଲୋକମାନଙ୍କ ପାଇଁ କାମ କରୁଛି । ସହଯୋଗୀ ଦଳଙ୍କ ସହ ମିଶି ଆମେ ନିର୍ବାଚନ ଲଢ଼ିବୁ ଏବଂ ଆସନ ବୁଝାମଣା ସଂପର୍କରେ ଉଚିତ ସମୟରେ ଘୋଷଣା କରାଯିବ ବୋଲି ହେମନ୍ତ ସୋରେନ କହିଛନ୍ତି । ତେବେ ଇଣ୍ଡି ମେଣ୍ଟରେ ଦ୍ଵନ୍ଦ ଲାଗିଥିବା ବେଳେ ଏନଡିଏରେ ଆସନ ବୁଝାମଣା ଶେଷ ହୋଇଛି ।