ଆମ୍ବଟାକୁଆ ଜାଉ ଖାଇ ସଂକଟାପନ୍ନଙ୍କ ଅବସ୍ଥା ପଚାରି ବୁଝିଲେ; ସ୍ଵାସ୍ଥ୍ୟମନ୍ତ୍ରୀ
କଟକ(ଜାୱେଦ ଅହମ୍ମଦ): ଆମ୍ବଟାକୁଆ ଜାଉ ଖାଇ ସଂକଟାପନ୍ନ ଅବସ୍ଥାରେ କଟକ ଏସସିବିରେ ଚିକିତ୍ସିତ ହେଉଥିବା ୨ ମହିଳାଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ନୂଆ ମେଡିସିନ ଆଇସିୟୁରେ ସେମାନଙ୍କୁ ଭେଟିବା ସହ ଡାକ୍ତରୀ ଟିମ୍ ସହ ଚିକିତ୍ସା ସଂପର୍କରେ ବୁଝିଛନ୍ତି । ସେମାନଙ୍କର ଚିକିତ୍ସା ଓ ସୁସ୍ଥତା ପ୍ରାଥମିକତା ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ।
ଅନ୍ୟପଟେ ଏସସିବି ଓ ବ୍ରହ୍ମପୁରରେ ଚିକିତ୍ସିତ ଅସୁସ୍ଥଙ୍କ ସମସ୍ତ ଚିକିତ୍ସା ନେଇ ସରକାର ସଜାଗ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ଏସସିବି ଭେଷଜ ବିଭାଗ ବରିଷ୍ଠ ଡାକ୍ତର କହିଛନ୍ତି ଉଭୟଙ୍କର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ କାମ କରୁନାହିଁ । ଡାଏଲୋସିସ ଚାଲିଛି । ପ୍ରତି ଘଣ୍ଟାରେ ଥରେ ସେମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା l
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ତିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏବଂ ଏଥିରେ ୬ ଜଣ ଗୁରୁତରଙ୍କ ମଧ୍ଯରୁ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହାରି ମଧ୍ୟରେ ଏସସିବି ରେ ଚିକିତ୍ସାଧିନ ଥିବା ଦୁଇ ଜଣଙ୍କୁ ହେପାଟାଇଟିସ୍ ହୋଇଛି ।