ଆଜିଠୁ ଆରମ୍ଭ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକବ୍ରତ
ପୁରୀ: ମଙ୍ଗଳବାର ୧୨ ତାରିଖରୁ ଆରମ୍ଭ ହେଲା ଧର୍ମର କାର୍ତ୍ତିକ ମାସ ପଞ୍ଚୁକବ୍ରତ । ଏଥର ପଞ୍ଚକ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ । ଗୋଟିଏ ଦିନ କ୍ଷୟ କାରଣରୁ ଚଳିତବର୍ଷ ମହାପ୍ରଭୁଙ୍କ ଲଷ୍ମୀନୃସିଂହ ବେଶ ବାଦ୍ ଦେଇ ଅନ୍ୟ ଚୋରୋଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଆଜି ପଞ୍ଚୁକ ବ୍ରତର ପ୍ରଥମ ଦିନ ବଡ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜ୍ଜିତ କରାଯାଇଛି ।
ତେବେ ଶ୍ରୀମନ୍ଦିର ଭିତରକାଠ ପରିବର୍ତ୍ତେ ଶ୍ରଦ୍ଧାଳୁମାନେ କେବଳ ବାହାର କାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ । ଭକ୍ତମାନେ ଦର୍ଶନ ପାଇଁ ମରିଚିକୋଟ ଛକରୁ ଗୋଟିଏ ଧାଡ଼ିରେ ପ୍ରବେଶ କରି କେବଳ ସିଂହଦ୍ବାରରେ ପ୍ରବେଶ କରିବେ ଏବଂ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ବାଟେ ପ୍ରସ୍ଥାନ କରିବେ । ଭିଡ଼ ନିୟନ୍ତ୍ରଣ ପାଇଁ ଧାଡ଼ି ବ୍ୟବସ୍ଥା ହୋଇଛି ।
ସେହିପରି ପଞ୍ଚକର ଦ୍ବିତୀୟ ଦିନ ଅର୍ଥାତ୍ ବୁଧବାର ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଏବଂ ଗୁରୁବାର ଡାଳିକିଆ ବା ତ୍ରିବିକ୍ରମ ବେଶ ହେବ ଏବଂ ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ କରାଯିବ । ଏହି ସମୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିସହ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ସାଙ୍ଗକୁ ସିସିଟିଭିରେ ୨୪ ଘଣ୍ଟା ନଜର ରଖାଯିବାକୁ ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ।
ଅନ୍ୟପଟେ ପୂର୍ବରୁ ପଞ୍ଚୁକ ୫ ଦିନ ୫ ବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ଚଳିତବର୍ଷ ୪ ଦିନରେ ୪ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କ ନୀତିକାନ୍ତି ସଂପର୍କିତ ସୂଚନା ମାଇକ୍ ଜରିଆରେ ପ୍ରଦାନ କରାଯିବ। ଛାୟାପ୍ରଦ ସେଡ୍ ଭିତରେ ଗରମରୁ ରକ୍ଷା ପାଇଁ ଫ୍ୟାନ୍, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି । ପଞ୍ଚକ ଭିଡ଼କୁ ନଜରରେ ରଖି ଶ୍ରୀମନ୍ଦିର ନୀଳଚକ୍ର ଧ୍ବଜାବନ୍ଧା ନୀତି ସଅଳ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଏନେଇ ଚୁନରା ସେବକମାନଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି ।