ଭୁବନେଶ୍ୱର: ଆଜି ଓଡ଼ିଶା ଅସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ ଦିନିଆ ଗସ୍ତରେ ତାଙ୍କ ସୁରକ୍ଷାକୁ ନେଇ ତତ୍ପର ସମସ୍ତ ବିଭାଗ । ବିଶେଷ କରି ପୁଲିସ ବିଭାଗ ପକ୍ଷରୁ ଯେଉଁ ସବୁ ପ୍ରୋଟୋକଲ ରହିଛି ତାକୁ ତନ୍ନ ତନ୍ନ କରି ଯାଂଚ କରାଯାଉଛି ।
ତେବେ ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ପିଏମ ମୋଦି । ଏହାପରେ ସୁରକ୍ଷା ବଳୟ ମଧ୍ୟରେ ଯାଇ ଅପରାହ୍ନ ୫ଟା ୧୫ରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିବେ । ରାଜଭବନରେ ସନ୍ଧ୍ୟା ୬ଟା ୧୫ ପର୍ୟ୍ୟନ୍ତ ରହିବେ, ଏହାପରେ ୬ଟା ୨୦ରୁ ରାଜଭବନରୁ ବାହାରି ରାଜ୍ୟ ବିଜେପି କାର୍ୟ୍ୟାଳୟକୁ ଯିବେ ମୋଦୀ । ସେଠାରେ ଦଳୀୟ ବିଧାୟକ, ମନ୍ତ୍ରୀ, ସାସଂଦଙ୍କ ସମେତ ଦଳୀୟ ପଦାଧିକାରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ଉଭୟ ଦଳ ଓ ୫ ମାସରେ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ସମୀକ୍ଷା କରିବେ । ସଂଧ୍ୟା ୭ଟା ୩୦ରୁ ୮ଟା ୩୦ ପର୍ୟ୍ୟନ୍ତ ଦଳୀୟ ନେତା ଓ କାର୍ୟ୍ୟକର୍ତ୍ତାଙ୍କ ସହ ରାତ୍ରିଭୋଜନ କରିବେ । ରାତି ୮ଟା ୩୦ରେ ରାଜ୍ୟ କାର୍ୟ୍ୟାଳୟରୁ ବାହାରି ୮ଟା ୪୫ରେ ରାଜଭବନରେ ପହଞ୍ଚିବା ସହ ସେଠାରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ ।
ଏହାପରେ ଆସନ୍ତାକାଲି ପୂର୍ବାହ୍ନ ୮ଟା ୩୦ରେ ରାଜଭବନରୁ ବାହାରି ସିଧାସଳଖ ଲୋକସେବା ଭବନ କନ୍ଭେନସନ ସେଣ୍ଟରଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ସେଠାରେ ସେ ରାତି ୮ଟା ପର୍ୟ୍ୟନ୍ତ ରହିବେ, ଏହାପରେ ସେ ରାତି ୮ଟାରେ ସିଧାସଳଖ ରାଜଭବନ ଯିବେ ।
ସେହିପରି ଡିସେମ୍ବର ୧ ତାରିଖ ପୂର୍ବାହ୍ନ ୮ଟା ୨୫ରେ ରାଜଭବନରୁ ବାହାରି ୮ଟା ୩୦ରେ ଡିଜିପି ସମ୍ମିଳନୀରେ ଯୋଗଦେବେ । ଅପରାହ୍ନ ୪ଟା ୧୫ ପର୍ୟ୍ୟନ୍ତ କନ୍ଭେନସନ ସେଣ୍ଟରଠାରେ ରହିବେ । ଏହାପରେ ଅପରାହ୍ନ ୪ଟା ୩୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି ।