ଭୁବନେଶ୍ୱର: ପାଖେଇ ଆସିଲା ନୂଆ ବର୍ଷ । ବଢିବ ଶୀତ, ଥରିବ ଓଡ଼ିଶା । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସାଙ୍ଗକୁ ହାଲୁକା ଖରା ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ପାଗ ପ୍ରାୟତଃ ଶୁଖିଲା ଥିବା ବେଳେ ଆଜି କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଓ କାଲି ପାଇଁ ୬ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ବରଗଡ଼, ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁରକୁ ୱାର୍ଣ୍ଣିଂ ମିଳିଛି। ୨୪ ଘଣ୍ଟା ଭିତରେ ରାଜ୍ୟରେ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ୨ରୁ ୪ ଡିଗ୍ରୀ ଯାଏଁ ପାରଦ ଖସିବ ବୋଲି ପାଣିପାଗ ବିଭାଗ କହିଛି।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୩୧ରେ ବରଗଡ଼, ବଲାଙ୍ଗୀର, ନୂଆପଡା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କି ଦୁଇଟି ଜାଗାରେ ମଧ୍ୟମ ଧରଣର କୁହୁଡି ପଡିବ। କିନ୍ତୁ ଜାନୁଆରୀ ୫ ଯାଏ ସାରା ରାଜ୍ୟର ପାଗ ଶୁଖିଲା ରହିବ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ମୁତାବକ, ଗତ ୨୬ରେ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟର ଭୟ ଓଡିଶାକୁ ନାହିଁ। ଗତ ୩ ଦିନ ଧରି ରାଜ୍ୟରେ ବର୍ଷା ହୋଇନି। ଖାଲି ଯାହା, ଅଳ୍ପ ମାତ୍ରାରେ ଶୀତ ବଢିଛି। ସପ୍ତାହେ ଯାଏ ପାଗ ଖରାଟିଆ ଓ ଶୁଖିଲା ରହିବ। ଏବେ ସୁନ୍ଦରଗଡ଼ ଓ ଝାରସୁଗୁଡାରେ ସର୍ବାଧିକ ଶୀତ ଅନୁଭୂତ ହେବ। ତାପରେ ଦକ୍ଷିଣ ଆଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା କମିଯିବ। ଅନ୍ୟପକ୍ଷେ ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହେବାର ଆକଳନ କରାଯାଉଥିବା ବେଳେ ଏହାର ପ୍ରଭାବ ଓଡ଼ିଶାକୁ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।