ବିହାର: ବିଜେପିର ବିହାର ପ୍ରୀତି । ସବୁ ଥର ନିର୍ମଳାଙ୍କ ଲାଲ କାଗଜରେ କାହା ପାଇଁ କିଛି ଥାଉ କି ନଥାଉ, କିନ୍ତୁ ବିହାର ପାଇଁ ଥାଏ ସବୁ ବେଳେ କିଛି ସରପ୍ରାଇଜ୍ । ସବୁ ଥର ପରି ଏଥର କେନ୍ଦ୍ର ବଜେଟ ୨୦୨୫ରେ ମଧ୍ୟ ବିହାର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଣିଦେଇଛନ୍ତି ପ୍ୟାକେଜର ବର୍ଷା । ବଜେଟ ଉପସ୍ଥାପନର ୧ମ ଦିନରେ ଆଇଆଇଟି ପାଟନାର ସମ୍ପ୍ରସାରଣ ହେଉ ଅବା ବିହାର ବିମାନବନ୍ଦରର ପ୍ରଶସ୍ତୀକରଣ ଏବଂ ଏହା ସହ ଗ୍ରୀନଫିଲ୍ଡ ଏୟାରପୋର୍ଟର ମଞ୍ଜୁରୀକୁ ମଧ୍ୟ ମିଳିଛି ବଜେଟରେ ସ୍ଥାନ । ଏହି ସରପ୍ରାଇଜ ଲିଷ୍ଟରେ ମଖାନା ବୋର୍ଡ ଓ ନ୍ୟାସନାଲ ଫୁଡ ଟେକ୍ନୋଲୋଜି ଇନଷ୍ଟିଚୁ୍ୟଟର ପ୍ରତିଷ୍ଠା ସାମିଲ ଅଛି । ଏହା ସହ ଫାଇନାନସିଆଲ ଆସିଷ୍ଟାନ୍ସ୍ ଫର କୋସି କେନାଲ ପ୍ରୋଜେକ୍ଟ ପାଇଁ ମଧ୍ୟ ବିହାର ନାଁରେ ଲାଗିଛି ମୋହର । ତେବେ ଲଗାତାର ବିହାର ଉପରେ କେନ୍ଦ୍ର ସରକାରଙ୍କ ଏହି ଦିବ୍ୟଦୃଷ୍ଟି ପକାଇବାର ପରମ୍ପରା ଚଳିତ ବର୍ଷ ମଧ୍ୟ ବଜାୟ ରହିଛି । କିନ୍ତୁ ଏହି ପର୍ବରେ ବିଗତ ବର୍ଷ ପରି ଏ ବର୍ଷ ମଧ୍ୟ ରାଜ୍ୟରେ ଡବଲ ଇଞ୍ଜିନ ସରକାର ସତ୍ତ୍ୱେ ନିରାଶ ହୋଇଛି ଓଡ଼ିଶା ।