ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଆତିଶୀ
ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ । ଉପ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଲେ ଆତିଶୀ । ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିଥିଲା । ଦୀର୍ଘ ୨୭ ବର୍ଷ ପରେ ଆପକୁ ଶୋଚନୀୟ ଭାବରେ ପରାଜୟ କରି ଦିଲ୍ଲୀ ଦାଖଲ କରିଛି ବିଜେପି। ଏଥର ବିଜେପି ପ୍ରାର୍ଥୀଙ୍କ ଠାରୁ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ଭଳି ହେଭିୱେଟ ହାରିଥିଲେ ମଧ୍ୟ ଆପ୍ ର ସମ୍ମାନ ରଖିଥିଲେ ମୁଖ୍ୟମନ୍ତ୍ରୀ ଆତିଶୀ। ସେ କାଲକାଜୀ ଆସନରୁ ବିଜେପି ପ୍ରାର୍ଥୀ ରମେଶ ବିଧୁରୀଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲେ ।
କାଲକାଜୀ ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେଉଥିଲା। ବିଜେପିର ରମେଶ ବିଧୁରୀ ଓ କଂଗ୍ରେସର ଅଳକା ଲାମ୍ବା ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ କଡ଼ା ଟକ୍କର ଦେଇଥିଲେ। ଏପରି କି ରମେଶ ବିଧୁରୀ ଆରମ୍ଭରୁ ଲିଡ ମଧ୍ୟ କରୁଥିଲେ। ପ୍ରାୟ ୧୦ ରାଉଣ୍ଡ ସୁଦ୍ଧା ରମେଶ ବିଧୁରୀ ୩ ହଜାରରୁ ଅଧିକ ଭୋଟ ଆଗରେ ଥିଲେ। କିନ୍ତୁ ଶେଷ ସମୟରେ ଆତିଶୀ କମବ୍ୟାକ କରିବା ସହ ରମେଶ ବିଧୁରୀଙ୍କୁ ହରାଇବାକୁ ସକ୍ଷମ ହୋଇଛନ୍ତି। ସେ ପ୍ରାୟ ୯୮୯ ଖଣ୍ଡ ଭୋଟରେ ବୁଧୁରୀଙ୍କୁ ପରାସ୍ତ କରିଛନ୍ତି।