ଇଂଲଣ୍ଡକୁ ୩୫୭ ରନ୍ର ଟାର୍ଗେଟ ଦେଲା ଭାରତ

ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲା ଆଜି ଅହମଦାବାଦ୍ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ସସସ୍ତ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡ ଟିମ୍ ଆଗରେ ଏହି ମ୍ୟାଚ୍ ଜିତିବା ପାଇଁ ୩୫୭ ରନ୍ର ଲକ୍ଷ୍ୟ ମିଳିଛି।
ଭାରତ ପକ୍ଷରୁ ଯୁବ ବ୍ୟାଟର ଶୁଭମନ୍ ଗିଲ ତାଙ୍କ କ୍ୟାରିୟରର ୭ମ ଶତକ ହାସଲ କରିଥିଲେ। ସେ ୧୪ଟି ଚୌକା ଓ ୩ଟି ଛକା ବଳରେ ୧୧୨ ରନ୍ ସଂଗ୍ରହ କରିଥିଲେ। ସେହିପରି ବିରାଟ କୋହଲି ୫୨ ରନ୍ କରିଥିବା ବେଳେ
ଅକ୍ଷର ପଟେଲ ୧୩ ରନ୍, କେଏଲ୍ ରାହୁଲ ୪୦ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ୍ , ହର୍ଷିତ ରାଣା ୧୩ ରନ୍, ୱାସିଂଟନ୍ ସୁନ୍ଦର ୧୪ ରନ୍, ଅର୍ଶଦୀପ ସିଂ ୨ ରନ୍ ଓ କୁଲଦୀପ ଯାଦବ ଅପରାଜିତ ୧ ରନ୍ କରିଥିଲେ। ଇଂଲଣ୍ଡ ତରଫରୁ ଆଦିଲ ରସିଦଙ୍କୁ ସର୍ବାଧିକ ୪ ୱିକେଟ୍ ମିଳିଥିଲା। ମାର୍କ ଉଡଙ୍କୁ ୨ ୱିକେଟ୍ ମିଳିଥିବା ବେଳେ ସାକିବ ମହମ୍ମଦ, ଗସ୍ ଆଟିକସନ ଓ ଜୋ ରୁଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।




