
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ହେଲାଣି ୯ମାସ । ପ୍ରଥମ କରି ନୂଆ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ଏହାରି ଭିତରେ ଦଳରେ ଦେଖାଦେଇଛି ନୂଆ ଟେନସନ । ଦଳ-ସଂଗଠନ-ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଭିତରେ ରହୁନି ତାଳମେଳ । ଏଭଳି ଅବ୍ୟବସ୍ଥା ଦେଖାଦେଇଛି ରାୟଗଡାରେ । ଜିଲ୍ଲାର ବିଜେପି ସଭାପତିଙ୍କ ନାଁରେ ଦିଆଯାଇଛି ଏତଲା । ରାୟଗଡା ଏଡିଏମ ବା ଅତିରିକ୍ତ ଜିଲ୍ଲାପାଳ ନିହାର ରଂଜନ କଅଁର, ଜିଲ୍ଲା ଅଧ୍ୟକ୍ଷ ଗୋପି ଆନନ୍ଦଙ୍କ ନାଁରେ ଏଫଆଇର କରିଥିବା ଜଣାପଡିଛି । ତାଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି । ଏଡିଏମ ସେଥିରେ ଦର୍ଶାଇଛନ୍ତି ଯେ, ମିଷ୍ଟର ଗୋପି ଆନନ୍ଦ ତାଙ୍କୁ ମେସେଜ କରି ପଚାରିଥିଲେ କି କଣ ଚାଲିଛି ସାର୍ ରାୟଗଡାରେ…ବିଜେଡିର ହ୍ୟାଙ୍ଗ ଓଭର ଉତୁରିନି କି । ଯାହାକୁ ନେଇ ପ୍ରତିବାଦ କରିଛନ୍ତି ଏଡିଏମ ।
ଜଣେ ପ୍ରଶାସନିକ ଅଧିକାରୀଙ୍କୁ ବିଜେଡିର ହ୍ୟାଙ୍ଗ ଓଭର ଉତୁରିନି ବୋଲି ପଚାରିବା, ତାଙ୍କୁ ଅପମାନ ଦେବା ସହ ସମ୍ମାନ ବୋଲି ସେ କହିଛନ୍ତି । ତେଣୁ ଗୋପି ଆନନ୍ଦଙ୍କ ବିରୋଧରେ ଏସସି ଏସଟି ଅତ୍ୟାଚାର ନିବାରଣ ଆଇନ ଓ ବିଏନଏସର ଧାରା ୨୨୧ ଅନୁଯାୟୀ ଏତଲା ଦାୟର କରିଛନ୍ତି ନିହାର । ଅନ୍ୟପଟେ ଚର୍ଚ୍ଚା ହେଉଛି କି ବିଜେପି ତାର କର୍ମୀମାନଙ୍କୁ ନେଇ କରୁ ଏକ ଟ୍ରେନିଂ ପ୍ରୋଗ୍ରାମ । କାରଣ ପ୍ରଥମ କରି ସରକାରରେ ଥିବାରୁ କର୍ମୀଙ୍କ ଏକ୍ସପେରିଏନ୍ସ ବା ଅଭିଜ୍ଞତା ନାହିଁ । ତେଣୁ ବୁ୍ୟରୋକ୍ରାଟସଙ୍କ ସହ କେମିତି କଥାବର୍ତା କରାଯିବା ଉଚିତ ସେ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଦିଆଯାଉ । ସରକାର-ସିଷ୍ଟମ-ଅଧିକାରୀଙ୍କ ଭିତରେ ସମନ୍ୱୟ ରଖି ଲୋକଙ୍କର ସେବା କରିବା ମନୋଭାବ ନେଇ କାମ କରନ୍ତୁ । ଯାହାକୁ ନେଇ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ପାଇଁ ଦେଖାଦେଇଛି କାଠିକର ସମୟ । ଆଉ ଦଳ ପାଇଁ ଏହା ନିହାତି ଆବଶ୍ୟକ ବୋଲି ମତ ଦେଇଛନ୍ତି ସମୀକ୍ଷକ । ସେପଟେ କିନ୍ତୁ ଏଡିଏମଙ୍କ ଏଫଆଇର ସଂପର୍କରେ ଗୋପି ଆନନ୍ଦଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।