
ଭୁବନେଶ୍ୱର ୦୬/ଅଗଷ୍ଟ : ରାଜ୍ୟରେ ବଢିଚାଲିଥିବା ନାରୀନିର୍ଯାତନାକୁ ଦୁଷ୍ଟିରେ ରଖି, ଶେଷରେ ଓଡ଼ିଶା ରାଜ୍ୟ ମହିଳା କମିଶନ ପାଇଁ ଜଣେ ନୂତନ ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି। ଶୋଭନା ମହାନ୍ତିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଗ୍ରାମୀଣ ଅଞ୍ଚଳରେ ମହିଳା ଅଧିକାର, ସୁରକ୍ଷା ଓ ସଶକ୍ତିକରଣ ନେଇ ଦୀର୍ଘଦିନ ଧରି ଅଭିଯାନ ଚାଲାଇଥିବା ଏହି ଅଭିଞ୍ଜ ଅଭିଯାନକାରୀଙ୍କ ନେତୃତ୍ୱ ତଳେ ମହିଳା ନୀତିଗତ ରୂପାୟଣ ଓ ସୁରକ୍ଷା ପ୍ରଣାଳୀରେ ଏକ ନୂଆ ଗତି ଆସିବ ବୋଲି ଅନେକଙ୍କ ଆଶା। ତେବେ ଏହି ନିଯୁକ୍ତିକୁ ନେଇ ବିପକ୍ଷ ମଧ୍ୟରୁ କେତେକ ଗମ୍ଭୀର ପ୍ରଶ୍ନ ଉଠିଛି। ଓଡ଼ିଶା କଂଗ୍ରେସର ମୁଖପାତ୍ର ଜୟଶ୍ରୀ ପତ୍ର ପ୍ରଶ୍ନ କରିଛନ୍ତି ଯେ ଶୋଭନା ମହାନ୍ତି ସତରେ ମହିଳାଙ୍କ ସୁରକ୍ଷା ପାଇଁ ନିଷ୍ପକ୍ଷ ଭାବରେ କାମ କରିପାରିବେ କି? ନା ମାତ୍ର ବିଜେପି ସରକାରର ହିତ ରକ୍ଷାରେ ଲାଗିରହିବେ? ସେ ଏହି ନିଯୁକ୍ତିକୁ ଦଳୀୟ ରାଜନୀତିର ଏକ ଉଦାହରଣ ବୋଲି ବିବେଚନା କରିଛନ୍ତି। ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ମଧ୍ୟ ଏହି ନିଯୁକ୍ତି ନେଇ ପ୍ରଶ୍ନ କରାଯାଇଛି। ଶୋଭନା ମହାନ୍ତିଙ୍କ ଭୂମିକା ଏବଂ ଦୃଢ଼ତା ମହିଳା ସୁରକ୍ଷା ପ୍ରତି କେତେ ଗମ୍ଭୀର ଓ ସ୍ୱାଧୀନ ହେବ, ଏହି ନେଇ ସନ୍ଦେହ ଜଣାଇଛନ୍ତି ବିରୋଧୀ ଦଳ। ନିଜସ୍ୱ ମତ ଓ ନୀତି ସହିତ ଶୋଭନା ମହାନ୍ତି କାମ କରିପାରିବେ କି ନାହିଁ, ଏହି ନେଇ ଅନେକ ପ୍ରତିକ୍ରିୟା ମିଳୁଛି।ସରକାର ଦ୍ୱାରା ଏହି ଦିର୍ଘ ବିଳମ୍ବ ପରେ ମହିଳା ଆୟୋଗର ଅଧ୍ୟକ୍ଷ ନିଯୁକ୍ତି ଦିଆଯିବା ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ବିଳମ୍ବ ଓ ଚୟନ ପ୍ରକ୍ରିୟା ସହିତ ସରକାର ମହିଳା ଅଧିକାର ପ୍ରତି କେତେ ଗମ୍ଭୀର ତାହା ନେଇ ଚର୍ଚ୍ଚା ଜାରି ଅଛି। ବର୍ତ୍ତମାନ ପ୍ରଶ୍ନ ଏହି ଶୋଭନା ମହାନ୍ତି ନିଜର ଅଭିଜ୍ଞତା ବ୍ୟବହାର କରି ମହିଳାଙ୍କ ଲାଗି ପ୍ରଭାବଶାଳୀ ଓ ନିଷ୍ପକ୍ଷ ଭାବେ କାମ କରିପାରିବେ କି?