
ଭୁବନେଶ୍ୱର,୦୧/୦୯/୨୦୨୫ : ଭିନ୍ନକ୍ଷମମାନଙ୍କୁ ଦୟା କି ସମବେଦନାର ଆବଶ୍ୟକତା ନାହିଁ । ସେମାନଙ୍କୁ ଲୋଡ଼ା ସଂପ୍ରୀତି, ସଂପର୍କ, ସଦ୍ଭାବନା, ସହଭାଗିତା ଓ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବାକୁ ସଂପୂର୍ଣ୍ଣ ସମର୍ଥନ । ସେମାନଙ୍କ କାନ୍ଧରେ ହାତ ପକାଇ, ହାତରେ ହାତ ମିଳାଇ ମନକୁ ମନ ମିଶାଇ ପାରିଲେ ସେମାନେ ଆମ ସମାଜର ବିକାଶରେ ଅଂଶୀଦାର ହେବାକୁ ଆଗେଇ ଆସିବେ । ସେମାନେ ଆମ ଜାତି ନିର୍ମାଣ ଓ ଅଭିବୃଦ୍ଧିରେ ଭାଗୀଦାର ହେବେ । ଆମର ସହଯାତ୍ରୀ ହେବେ । ବିକାଶର ରାସ୍ତାକୁ ପ୍ରଶସ୍ତ କରିବେ ବୋଲି ଶିକ୍ଷା ଗ୍ରାମ ଫାଉଣ୍ଡେସନ୍ ଟ୍ରଷ୍ଟର ସପ୍ତଦଶ ବାର୍ଷିକ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି ।
ସ୍ଥାନୀୟ ମଧୁସୂଦନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କୋଅପରେଟିଭ୍ ମାନେଜ୍ମେଣ୍ଟଠାରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପଶାସନ ସଚିବ ଶ୍ରୀ ସନ୍ନ୍ୟାସୀ ବେହେରା କହିଲେ ଯେ ଭିନ୍ନକ୍ଷମମାନଙ୍କ ପ୍ରତି ଯଥାର୍ଥ ଗ୍ରହଣଶୀଳତା, ସକ୍ଷମ ଭାବରେ ସେମାନଙ୍କ କୃତିତ୍ୱ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ, ସେମାନଙ୍କ ସୃଜନଶୀଳ ପ୍ରତିଭା ଓ ଦକ୍ଷତାକୁ ସବୁମତେ, ସବୁଠାରେ ଆଦର ମିଳିବା ଦରକାର । ଭିନ୍ନକ୍ଷମମାନଙ୍କ ଜୀବନଧାରା ଓ ବ୍ୟକ୍ତିତ୍ୱ ବିକାଶରେ ଆମ ସମାଜର ସବୁବର୍ଗର ଲୋକେ ଆପଣାର ଇଚ୍ଛାଶକ୍ତି ବଳରେ ସହଯୋଗ ପ୍ରଦାନ କଲେ ପୃଥିବୀ ସୁଖୀ ଓ ସମୃଦ୍ଧ ହୋଇପାରିବ । ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଆମର କାର୍ଯ୍ୟକ୍ରମ ସଫଳ ହେବ ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ନାୟକ ଭିନ୍ନକ୍ଷମମାନଙ୍କ କଲ୍ୟାଣ ସହିତ ସେମାନଙ୍କର ସାମାଜିକ-ଅର୍ଥନୈତିକ ଜୀବନଧାରାରେ ଅଭିବୃଦ୍ଧି, ନିଯୁକ୍ତି, ଦକ୍ଷତା ବୃଦ୍ଧି ଉପରେ ସମାଜର ସବୁ ମହଲରୁ ପ୍ରୟାସ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ ।
ଶିକ୍ଷା ଗ୍ରାମ ଫାଉଣ୍ଡେସନ୍ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ଅର୍ଚ୍ଚନା ପଣ୍ଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ଫାଉଣ୍ଡେସନ୍ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବା ଉଦ୍ଦେଶ୍ୟରେ କଳା ଏବଂ ନୃତ୍ୟ ଉପରେ ଏହି କର୍ମଶାଳା ଆୟୋଜନ କରୁଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ ବୋଲି ସେ ଉଲ୍ଲେଖ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ଦାସ ବକ୍ତବ୍ୟ ରଖିବା ସହ ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ଦିଗରେ ଫାଉଣ୍ଡେସନର ପ୍ରାୟସକୁ ସାଧୁବାଦ ଜଣାଇଥିଲେ ।
ଏହି ଅବସରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସାମର୍ଥ୍ୟ, ଦକ୍ଷତା ଓ ସଫଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ଆମେ ସମର୍ଥ- ଅନ୍ତର୍ଭୁକ୍ତି, ସଶକ୍ତିକରଣ ଓ ସୃଜନଶୀଳତାକୁ ପ୍ରୋତ୍ସାହନ’ ଶୀର୍ଷକ ଏକ କଳା ଓ ନୃତ୍ୟ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୩୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା ।