ରାଜ୍ୟବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର, ୨୦ ଅକ୍ଟୋବର : ଆଲୋକ ଓ ଆନନ୍ଦର ପବିତ୍ର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଶୁଭ ଅବସରରେ ସେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟର ସମସ୍ତ ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି: “ଦୀପାବଳି କେବଳ ଆଲୋକର ପର୍ବ ନୁହେଁ, ଏହା ହେଉଛି ଜ୍ଞାନ, ଆଶା, ବିଶ୍ୱାସ ଓ ଦୃଢ ପ୍ରତିବଦ୍ଧତାର ପ୍ରତୀକ। ଜ୍ଞାନର ଆଲୋକ ଅଜ୍ଞାନର ଅନ୍ଧକାରକୁ ଭେଦି ମଣିଷକୁ ଉଦ୍ଧାର କରେ। ଏହି ଦୀପାବଳି ଆମେ ନୂଆ ଆଶା, ନୂଆ ସ୍ବପ୍ନ ଓ ନୂଆ ଲକ୍ଷ୍ୟ ସହିତ ଏକ ନୂଆ ଭବିଷ୍ୟତ ପାଇଁ ପଦକ୍ଷେପ ନିଅ।”
ସେ ଅଧିକ କହିଛନ୍ତି, ଦୀପାବଳି ଆମକୁ ସତ୍ୟ ଓ ନ୍ୟାୟର ପଥରେ ଚାଲିବା ପ୍ରେରଣା ଦେଇଥାଏ, ଅସତ୍ୟ ଓ ଅନ୍ୟାୟର ଅନ୍ଧାରକୁ ଅଲୋକରେ ବଦଳାଇ ଦିଏ। ଏହି ପର୍ବ ହେଉଛି ଦୟା, କ୍ଷମା, ପ୍ରେମ ଓ ମାନବିକତା ପ୍ରତି ଆସ୍ଥା ରଖିବା ଦିନ। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରଦୂଷଣମୁକ୍ତ, ସବୁଜ ଓ ସୁରକ୍ଷିତ ଦୀପାବଳି ପାଳନ କରିବା ପାଇଁ ଆହ୍ବାନ ଜଣାଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅହଂକାର ଓ ଦାନବୀୟ ପ୍ରବୃତ୍ତିକୁ ତ୍ୟାଗ କରି ମାନବ ମୂଲ୍ୟବୋଧ ବଢ଼ାଇବାକୁ ଉତ୍ସାହିତ କରିଛନ୍ତି।
ଏହି ପବିତ୍ର ଦୀପାବଳି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଦେଶର ଶାନ୍ତି, ସମୃଦ୍ଧି ଓ ଏକତା ପାଇଁ ପ୍ରାର୍ଥନା କରିଛନ୍ତି।
ଦୀପାବଳି ହେଉ ଆମ ସମସ୍ତଙ୍କ ପାଇଁ ଆଲୋକ, ଆନନ୍ଦ ଓ ଏକ ନୂଆ ଆରମ୍ଭର ଦୂତ।