
ନୂଆପଡ଼ା, ୨୩ ଅକ୍ଟୋବର : ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ନେଇ ବୁଧବାର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ତେଲିପଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିଜ ମନୋଭାବ ବ୍ୟକ୍ତ କରିଥିଲେ ଓ ଦଳର ବିଜୟ ଉପରେ ଦୃଢ଼ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ।
ଶ୍ରୀମତୀ ଛୁରିଆ କହିଲେ, “ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଚୟନ ସମୟରେ କିଛି ସମସ୍ୟା ଦେଖା ଦେଇଥିଲା, କିନ୍ତୁ ଶେଷରେ ଆମର ଦଳପତି ଓ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମୋ ଉପରେ ଏହି ଦାୟିତ୍ୱ ଅର୍ପଣ କରିଛନ୍ତି। ନୂଆପଡ଼ା ବିଜେଡି ଓ ଲୋକମାନଙ୍କର ସମର୍ଥନ ମୋ ସହିତ ରହିଛି। ତେଣୁ ମୁଁ ଏହି ନିର୍ବାଚନ ମଇଦାନରେ ଆସିଛି।”
ସେ ଆହୁରି କହିଥିଲେ ଯେ, ନାମାଙ୍କନପତ୍ର ଦାଖଲ ସମୟରେ ଜନସାଧାରଣଙ୍କ ଯେପରି ସମର୍ଥନ ମିଳିଥିଲା, ତାହା ବିଜେଡି ପାଇଁ ଉତ୍ସାହଜନକ। “ଆଜି ମଧ୍ୟ ନୂଆପଡ଼ାବାସୀଙ୍କ ହୃଦୟରେ ବିଜେଡି ରହିଛି। ନୂଆପଡ଼ାର ବିକାଶରେ ବିଜେଡି ଦଳର ଅମୋଘ ଭୂମିକା ରହିଛି,” ବୋଲି ସେ ଉଲ୍ଲେଖ କରିଥିଲେ।
ସେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସେବା ଓ ଅବଦାନକୁ ସ୍ମରଣ କରି କହିଥିଲେ, “ଢୋଲକିଆଜୀ ୪ ଥର ବିଧାୟକ ହୋଇ ନୂଆପଡ଼ାବାସୀଙ୍କ ସେବା କରିଥିଲେ। ସେହି କାରଣରୁ ନୂଆପଡ଼ା ବିଜେଡିର ଗଡ଼ ହେବା ସ୍ୱାଭାବିକ। ସେମାନଙ୍କ ଆଶୀର୍ବାଦ ଓ ଜନସମର୍ଥନରେ ଏହି ଉପନିର୍ବାଚନରେ ମଧ୍ୟ ବିଜେଡି ବିଜୟୀ ହେବା ନିଶ୍ଚିତ।”
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ବିଜେଡି ନେତା ତଥା ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାଏକ, ପୁଷ୍ପେନ୍ଦ୍ର ସିଂହଦେଓ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ବିଜେଡି ସାଧାରଣ ସଂପାଦକ ବିଜୟ ନାଏକ, ରାଜୁ ଘିବେଲା, କୋମନା ବ୍ଲକ ବିଜେଡି ସଭାପତି କ୍ଷମାନିଧି ନିଆଲ ଓ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ।
ସମ୍ମିଳନୀରେ ନୂଆପଡ଼ା ଉପନିର୍ବାଚନରେ ବିଜେଡି ଦଳ ଆଉଥରେ ଲୋକସେବା ଓ ବିକାଶର ରାଜନୀତି ଦ୍ୱାରା ବିଜୟ ଅଜରା କରିବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ।