ଓଡ଼ିଶାରାଜନୀତି

ଲଢିପାରୁନାହାନ୍ତି; ତେଣୁ ଅପରାଧୀଙ୍କୁ ଲଗାଇ କୁତ୍ସାରଟନା କରୁଛନ୍ତି, ନିର୍ବାଚନ ଅଧିକାରୀ ଓ ପୁଲିସ ନିରବଦ୍ରଷ୍ଟା : ଭକ୍ତ ଦାସ

 

ନୂଆପଡ଼ା / ଭୁବନେଶ୍ୱର, ୨୪ ଅକ୍ଟୋବର : ନୂଆପଡ଼ାରେ ଆୟୋଜିତ ଏକ ପ୍ରେସ ବାର୍ତ୍ତାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ନୂଆପଡ଼ା ଉପନିର୍ବାଚନ ସନ୍ଦର୍ଭରେ ବିଜେପିଙ୍କ ଆଚରଣ ଉପରେ ତୀବ୍ର ପ୍ରତିକ୍ରିୟା ଜଣାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରି ସରକାରୀ ସ୍କୁଲରେ ବୈଠକ କରୁଛି, ଯାହା ସମ୍ପୂର୍ଣ୍ଣ ବେଆଇନ।

ଭକ୍ତ ଦାସ କହିଛନ୍ତି, “ନିର୍ବାଚନ ପ୍ରଚାର ଆରମ୍ଭ ନ ହେଉଣୁ ବିଜେପି ନିୟମ ଭଙ୍ଗ କରି ଅନୁଶାସନହୀନ କାର୍ଯ୍ୟ କରୁଛି। ଏହାର ଉପରେ ଜିଲ୍ଲାପାଳ, ରିଟର୍ଣିଂ ଅଫିସର ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଯାଇନାହିଁ।”

ସେ ଆଉ ଗୋଟିଏ ଦୁଃଖଦ ଘଟଣା ଉଲ୍ଲେଖ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସଭା ସମୟରେ ବଳକା ଖାଦ୍ୟ ଖାଇ ୧୭ ଗାଈର ମୃତ୍ୟୁ ଘଟିଥିବା ବେଳେ ବହୁ ଗାଈ ଅସୁସ୍ଥ ଅଛି। ସେ ପ୍ରଶ୍ନ କରିଛନ୍ତି, “ଏହି ମୃତ୍ୟୁ ପାଇଁ ଦାୟୀ କିଏ? ସରକାର ଗାଈ ବଦଳରେ ଗାଈ ଦିଅନ୍ତୁ। ଅସୁସ୍ଥ ଗାଈ ନେଇ ଯେ ପରିବାର ପ୍ରତିପୋଷଣ କରୁଥିଲେ ସେମାନଙ୍କୁ ନ୍ୟାୟ ମିଳିବା ଉଚିତ।”

ସେ ଅଭିଯୋଗ କଲେ ଯେ, ବିଜେପି ଗାଁ ଗଣ୍ଡାରେ ଦଦରା ଶାଢ଼ୀ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ଭୋଟ ପାଇଁ ଲୋକଙ୍କୁ ପ୍ରଲୋଭିତ କରୁଛି। ଏହାକୁ ସେ ନିର୍ବାଚନ ଆଚରଣ ବିଧିର ଗୁରୁତର ଉଲଙ୍ଘନ ବୋଲି ଅଭିହିତ କରିଛନ୍ତି ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଏଥିପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ଭକ୍ତ ଦାସ ଆଉ କହିଛନ୍ତି ଯେ, ବିଜେପି ପ୍ରାର୍ଥୀ ଅଭାବରେ ବିଜେଡି ପ୍ରାର୍ଥୀ ଚୋରି କରୁଛି, ଏବଂ ବିଜେଡି ମଧ୍ୟ ଆଦିବାସୀ ନେତାଙ୍କ ମଧ୍ୟରେ ଭିନ୍ନତା ସୃଷ୍ଟି କରି ଭୋଟ ବିଭାଜନ ଚେଷ୍ଟା ଚାଲାଇଛି। “ଆଦିବାସୀ ଏକଜୁଟ ଅଛନ୍ତି ଏବଂ ସେମାନଙ୍କ ନେତା ଘାସିରାମ ମାଝୀ। କଂଗ୍ରେସ ଆଦିବାସୀଙ୍କ ସହିତ ଅଛି,” ସେ କହିଛନ୍ତି।

ସେ ନିଜ ବିରୋଧରେ ହୋଇଥିବା କୁତ୍ସା ଓ ଅପପ୍ରଚାର ଉପରେ ତୀବ୍ର କ୍ଷୋଭ ଜଣାଇଛନ୍ତି। “ମୋର ନାମରେ ଯେଉଁମାନେ ଅପପ୍ରଚାର କରୁଛନ୍ତି ସେମାନେ ଅପରାଧୀ ଶ୍ରେଣୀର। ମୋ ସମ୍ପତ୍ତି ଭବାନୀପାଟଣାର ଗୋଟିଏ ଘର ଓ ଦିଲ୍ଲୀରେ ଗୋଟିଏ ଫ୍ଲାଟ୍ ଛାଡ଼ି ଆଉ କିଛି ନାହିଁ। ଯଦି ଅଛି, ସରକାର ଜାଣି ଜନତାଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ,” ସେ ଚାଲେଞ୍ଜ ଛାଡ଼ିଛନ୍ତି।

ସେ କହିଛନ୍ତି, “ମନ୍ତ୍ରୀ ହେଲା ପରେ ମଧ୍ୟ ଚାଳ ଘରେ ରହୁଥିଲି। ମୋ ଜୀବନ ଗରିବ ଆଦିବାସୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ। ମୁଁ ଡରିବା ଲୋକ ନୁହେଁ, ସତ୍ୟ ପଥେ ଚାଲିବି।”

ଶେଷରେ ସେ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି, “ବିଜେପି ଓ ବିଜେଡି ମିଶି କଂଗ୍ରେସକୁ ଦମାଇ ପାରିବ ନାହିଁ। ଆମ ପାର୍ଥି ଘାସିରାମ ମାଝୀଙ୍କ ବିଜୟ ହେବ, ସତ୍ୟ ଜିତିବ।”

Related Articles

Back to top button