କ୍ରୀଡ଼ାଜାତୀୟ

ଟି୨୦ ବିଶ୍ୱକପ୍‌: ଏହି ଷ୍ଟାର ଭାରତୀୟ ଖେଳାଳିଙ୍କୁ ନେଇ ଭୟ କଲାଣି ପାକିସ୍ତାନ

ନୂଆଦିଲ୍ଲୀ, ୧୪/୦୨/୨୦୨୬: ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୫ ତାରିଖରେ ଆଇସିସି (ICC) ପୁରୁଷ ଟି୨୦ ବିଶ୍ୱକପ୍‌ ୨୦୨୬ରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ମୁକାବିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ କ୍ରିକେଟ ଜଗତରେ ପରିବେଶ ବେଶ୍ ଉଷ୍ମ ହୋଇଛି। ତେବେ ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଶିବିର ପାଇଁ ସବୁଠାରୁ ବଡ଼ ଚିନ୍ତା ପାଲଟିଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା।

ନିକଟରେ ନାମ୍ବିଆ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ ଓ ଶାଣିତ ବୋଲିଂ ପାକିସ୍ତାନୀ ଖେଳାଳିଙ୍କ ଉତ୍ତେଜନା ବଢ଼ାଇ ଦେଇଛି। ଦଳ ଚାପରେ ଥିବା ବେଳେ ହାର୍ଦ୍ଦିକ ମାତ୍ର ୨୮ ବଲରେ ୫୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିବା ସହ ବୋଲିଂରେ ମଧ୍ୟ ସଫଳତା ପାଇ ‘ପ୍ଲେୟର ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିଲେ। ତାଙ୍କର ଏହି ‘ଫିନିସର୍’ ଅବତାର ପାକିସ୍ତାନ ପାଇଁ ବିପଦ ସଙ୍କେତ ସଦୃଶ ହୋଇଛି।

ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକ ଏକ ଆଲୋଚନା ସମୟରେ ହାର୍ଦ୍ଦିକଙ୍କ ଖେଳ ଶୈଳୀର ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଚାପ ସମୟରେ ମ୍ୟାଚକୁ କିପରି ନିଜ ନିୟନ୍ତ୍ରଣକୁ ଅଣାଯାଏ, ତାହା ପାକିସ୍ତାନୀ ଅଲରାଉଣ୍ଡରମାନେ ହାର୍ଦ୍ଦିକଙ୍କଠାରୁ ଶିଖିବା ଉଚିତ। ପିଚ୍‌ର ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଆଇ ଇନିଂସକୁ ଗତିଶୀଳ ରଖିବାରେ ହାର୍ଦ୍ଦିକ ଜଣେ ମାଷ୍ଟର ବୋଲି ସେ ସ୍ୱୀକାର କରିଛନ୍ତି।

ସେହିପରି ଅନ୍ୟ କ୍ରିକେଟ ବିଶେଷଜ୍ଞମାନେ ହାର୍ଦ୍ଦିକଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଓ ସନ୍ତୁଳିତ ଅଲରାଉଣ୍ଡର ଭାବେ ବର୍ଣ୍ଣନା କରିଛନ୍ତି। ତାଙ୍କର ବୈଶିଷ୍ଟ୍ୟ ହେଉଛି ଯେ ସେ ବ୍ୟାଟିଂ ସମୟରେ ଜଣେ ସ୍ପେଶାଲିଷ୍ଟ ବ୍ୟାଟସମ୍ୟାନ ଏବଂ ବୋଲିଂ ସମୟରେ ଜଣେ ମୁଖ୍ୟ ବୋଲର ଭଳି ପ୍ରଦର୍ଶନ କରନ୍ତି। ରବିବାର ହେବାକୁ ଥିବା ମ୍ୟାଚରେ ହାର୍ଦ୍ଦିକ ପୁଣିଥରେ ପାକିସ୍ତାନ ବିପକ୍ଷରେ ‘ଗେମ୍ ଚେଞ୍ଜର’ ସାଜିବେ ବୋଲି ଆଶା କରାଯାଉଛି।

Related Articles

Back to top button