
ନୂଆଦିଲ୍ଲୀ,୨୪/୦୨/୨୦୨୬: ସାଉଥ୍ ସିନେମାର ସବୁଠାରୁ ଚର୍ଚ୍ଚିତ ଏବଂ ପ୍ରିୟ ଯୋଡ଼ି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ନିଜ ବାହାଘର କାନଫର୍ମ କରିଛନ୍ତି । ଦୀର୍ଘ ଦିନର ଗୁଜବ ଏବଂ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇ, ଏହି ‘ପାୱାର କପଲ୍’ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି |
ଯଦିଓ ପୂର୍ବରୁ ଏନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା, କିନ୍ତୁ ନିକଟରେ ଉଭୟ ବିଜୟ ଏବଂ ରଶ୍ମିକା ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଏହି ଖୁସିର ଖବର ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । ସେମାନେ ନିଜ ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇ ଏକ ସୁନ୍ଦର ନୋଟ୍ ଲେଖିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ, ସେମାନେ ନିଜ ପାଇଁ କିଛି ସ୍ଥିର କରିବା ପୂର୍ବରୁ ହିଁ ପ୍ରଶଂସକମାନେ ସେମାନଙ୍କୁ ‘ବିରୋଶ’ (ViRash) ନାମରେ ନାମିତ କରିସାରିଥିଲେ। ଏହି ବିବାହକୁ ସେମାନେ ସ୍ନେହରେ ‘ବିରୋଶ କି ଶାଦୀ’ ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ଗତ ବର୍ଷ ଅକ୍ଟୋବର ମାସରେ ହାଇଦ୍ରାବାଦଠାରେ ଅତି ଗୋପନୀୟ ଭାବେ ଏହି ଯୋଡ଼ିଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଏବେ ଆସନ୍ତା ଫେବୃଆରୀ ୨୬ ତାରିଖରେ ରାଜସ୍ଥାନର ଶାହି ସହର ଉଦୟପୁରରେ ଏକ ଭବ୍ୟ ସମାରୋହରେ ବିଜୟ ଓ ରଶ୍ମିକା ବିବାହ ବନ୍ଧନରେ ବାନ୍ଧି ହେବେ। ଉଦୟପୁରର ଏକ ବିଳାସପୂର୍ଣ୍ଣ ପ୍ରାସାଦରେ ଏହି ରାଜକୀୟ ବିବାହ ଅନୁଷ୍ଠିତ ହେବ, ଯେଉଁଥିରେ ପରିବାର ବର୍ଗ ଏବଂ କିଛି ନିକଟତର ବନ୍ଧୁମାନେ ସାମିଲ ହେବେ।
‘ଗୀତା ଗୋବିନ୍ଦମ’ ଏବଂ ‘ଡିୟର କମ୍ରେଡ୍’ ଭଳି ସୁପରହିଟ୍ ଫିଲ୍ମରେ ଏହି ଯୋଡ଼ିଙ୍କ ଅନ୍-ସ୍କ୍ରିନ୍ କେମେଷ୍ଟ୍ରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏବେ ସେହି କେମେଷ୍ଟ୍ରି ବାସ୍ତବ ଜୀବନରେ ଏକ ସୁନ୍ଦର ମୋଡ଼ ନେଇଛି। ସାରା ଦେଶର ପ୍ରଶଂସକମାନେ ଏବେ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି।




