
ଭୁବନେଶ୍ୱର, ୦୬/୦୩/୨୦୨୬: ଛୋଟ ପିଲାଠୁ ଆରମ୍ଭ କରି ବଡ଼ ମଣିଷ ପର୍ଯ୍ୟନ୍ତ, ଚକୋଲେଟ୍ ନାଁ ଶୁଣିଲେ ସମସ୍ତଙ୍କ ପାଟିରୁ ଲାଳ ବହେ। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ ଖାଉଥିବା ଏହି ମିଠା ଚକୋଲେଟ୍ ଆପଣଙ୍କ ଶରୀର ଉପରେ କିପରି ପ୍ରଭାବ ପକାଏ? ବିଶେଷଜ୍ଞଙ୍କ ମତରେ ଚକୋଲେଟ୍ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ, କିନ୍ତୁ ଏହାର ଅତ୍ୟଧିକ ସେବନ ବିପଦକୁ ମଧ୍ୟ ଡାକି ଥାଏ |
ବୈଜ୍ଞାନିକ ଗବେଷଣା ଅନୁସାରେ, ବିଶେଷ କରି ଡାର୍କ ଚକୋଲେଟ୍ (Dark Chocolate) ହୃଦୟ ପାଇଁ ଖୁବ୍ ଲାଭଦାୟକ। ଏଥିରେ ଥିବା ‘ଫ୍ଲାଭାନୋଲ୍ସ’ ରକ୍ତ ସଞ୍ଚାଳନକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରେ, ଯାହାଦ୍ୱାରା ହାର୍ଟ ଆଟାକର ଭୟ କମ୍ ରହିଥାଏ। ଏହା ବ୍ୟତୀତ ଚକୋଲେଟ୍ ଖାଇଲେ ମସ୍ତିଷ୍କରେ ‘ଡୋପାମାଇନ୍’ ହରମୋନ୍ କ୍ଷରଣ ହୁଏ, ଯାହା ମଣିଷର ମନକୁ ଖୁସି ରଖେ ଏବଂ ମାନସିକ ଚାପ ବା ଷ୍ଟ୍ରେସ୍ କମାଇବାରେ ସାହାଯ୍ୟ କରିଥାଏ। ଏପରିକି ଏହା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ।
କିନ୍ତୁ ସବୁ ଚକୋଲେଟ୍ ସ୍ୱାସ୍ଥ୍ୟକର ନୁହେଁ। ବଜାରରେ ମିଳୁଥିବା ସାଧାରଣ ମିଲ୍କ ଚକୋଲେଟ୍ରେ ପ୍ରଚୁର ପରିମାଣରେ ଚିନି ଏବଂ କ୍ୟାଲୋରୀ ଥାଏ। ଅଧିକ ପରିମାଣରେ ଏହାକୁ ଖାଇଲେ ଓଜନ ବଢ଼ିବା ସହ ମଧୁମେହ (Diabetes) ରୋଗର ଆଶଙ୍କା ଦେଖାଦେଇଥାଏ। ଏଥିସହ ଦାନ୍ତ ପୋକା ହେବା ଏବଂ ଗ୍ୟାସ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ଖାସକରି ଶୋଇବା ପୂର୍ବରୁ ଚକୋଲେଟ୍ ଖାଇବା ଦ୍ୱାରା ଏଥିରେ ଥିବା କ୍ୟାଫେନ୍ ଯୋଗୁଁ ନିଦ୍ରାହୀନତା ସମସ୍ୟା ଦେଖାଦେଇପାରେ।
ଚକୋଲେଟ୍କୁ ଔଷଧ ଭଳି ସୀମିତ ପରିମାଣରେ ଖାଇଲେ ଏହା ଶରୀରକୁ ସୁସ୍ଥ ରଖେ। ସପ୍ତାହକୁ ୨ ରୁ ୩ ଦିନ ଅଳ୍ପ ପରିମାଣର ଡାର୍କ ଚକୋଲେଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଭଲ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।




