ଓଡ଼ିଶାରାଜନୀତି

ମୋଦି ସରକାରଙ୍କୁ ଯୁବ କଂଗ୍ରେସର ତୀବ୍ର ସମାଲୋଚନା: ‘ଆମେରିକା ନିର୍ଦ୍ଦେଶରେ ଚାଲୁଛି ଦେଶ’

ଭୁବନେଶ୍ୱର, ୧୪ ମାର୍ଚ୍ଚ ୨୦୨୬: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଏବଂ ବର୍ଦ୍ଧିତ ଗ୍ୟାସ ଦରକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟରେ ଦେଶର ସମ୍ମାନକୁ ସାଲିସ କରିଛନ୍ତି ଏବଂ ଏକ ପ୍ରକାର ‘କାଠ କଣ୍ଢେଇ’ ସାଜିଛନ୍ତି। ଆମେରିକାର ଗୋଟିଏ ନିର୍ଦ୍ଦେଶରେ ଭାରତ ରୁଷରୁ ତେଲ କିଣିବା ବନ୍ଦ କରିଦେବା ଏବଂ ପୁଣି ସେମାନଙ୍କ କଥାରେ କାମ କରିବା ଦର୍ଶାଉଛି ଯେ ଦେଶ ପୁଣି ଥରେ ପରାଧୀନ ହୋଇଗଲାଣି। ଏପରିକି ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ଇଜ୍ରାଏଲ ଗସ୍ତରେ ଯାଇ ନୃତ୍ୟ କରିବାକୁ ନେଇ ମଧ୍ୟ ଶ୍ରୀ ପାତ୍ର ଶାଣିତ ପ୍ରଶ୍ନ କରିଛନ୍ତି।

ସେ ପୁଣି କହିଛନ୍ତି ଯେ, ଯୁଦ୍ଧର ମାତ୍ର ଦୁଇ ଦିନ ପୂର୍ବରୁ ଇଜ୍ରାଏଲକୁ ‘ଫାଦର କଣ୍ଟ୍ରି’ ବୋଲି ଘୋଷଣା କରିବା ଦେଶ ପାଇଁ ଦୁଃଖଦାୟକ। ଇଜ୍ରାଏଲ ଭାରତୀୟ ଜନତା ପାର୍ଟିର ଆଦର୍ଶ ହୋଇପାରେ, ମାତ୍ର ସାଧାରଣ ଭାରତବାସୀ ଏହାକୁ ଗ୍ରହଣ କରିବେ ନାହିଁ। ବୈଦେଶିକ ନୀତିରେ ଭାରତ କାହା ସହିତ ବ୍ୟବସାୟ କରିବ ତାହା ଯଦି ଆମେରିକା ନିର୍ଦ୍ଦେଶରେ ନିର୍ଦ୍ଧାରିତ ହୁଏ, ତେବେ ଏହା ଦେଶର ସାର୍ବଭୌମତ୍ୱ ଉପରେ ଏକ ବଡ଼ ପ୍ରଶ୍ନବାଚୀ। ଏହା ସହିତ ପ୍ରଧାନମନ୍ତ୍ରୀଙ୍କର ଟ୍ରମ୍ପଙ୍କ ପ୍ରତି ଥିବା ଭୟ ଓ ଦୁର୍ବଳତା ପଛର କାରଣ କ’ଣ ବୋଲି ସେ ଜାଣିବାକୁ ଚାହିଁଛନ୍ତି।

ଅନ୍ୟପଟେ ଦେଶରେ ଗ୍ୟାସ ଦର ବୃଦ୍ଧିକୁ ନେଇ ଯୁବ କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଗତ ବର୍ଷ ଘରୋଇ ଗ୍ୟାସ ପିଛା ୫୦ ଟଙ୍କା ବଢ଼ିଥିବା ବେଳେ ଚଳିତ ବର୍ଷ ପୁଣି ୬୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ବ୍ୟବସାୟୀକ ସିଲିଣ୍ଡର ପିଛା ୧୧୫ ଟଙ୍କା ବଢ଼ିବା ଫଳରେ ହୋଟେଲ, ହସ୍ପିଟାଲ ଏବଂ ହଷ୍ଟେଲ ଗୁଡ଼ିକରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ୟାସ ଅଭାବରୁ ଅନେକ ଆବାସିକ ବିଦ୍ୟାଳୟ ବନ୍ଦ ହେବା ସ୍ଥିତିକୁ ଆସିଗଲାଣି। ସରକାରଙ୍କ ନିୟନ୍ତ୍ରଣ ଅଭାବରୁ କଳାବଜାରୀମାନେ ଏହି ସୁଯୋଗର ଫାଇଦା ଉଠାଉଥିବା ସେ ଅଭିଯୋଗ କରିଛନ୍ତି।

ପରିଶେଷରେ ଯୁବ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି ଯେ, ଯଦି ତୁରନ୍ତ ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରା ନଯାଏ ଏବଂ ବଜାରରେ ଗ୍ୟାସ ଯୋଗାଣ ସ୍ୱାଭାବିକ ନହୁଏ, ତେବେ ଆଗାମୀ ଦିନରେ ବ୍ୟାପକ ବିକ୍ଷୋଭ କରାଯିବ। ଆଜିର ଏହି ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ଓ ଜାଭେଦ ଅକତର ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଥିଲେ।

Related Articles

Back to top button