ଅନ୍ତର୍ଜାତୀୟଓଡ଼ିଶା

ଇରାନ-ଆମେରିକା ଯୁଦ୍ଧ: ବାଟବଣା ହେଲେ ଟ୍ରମ୍ପ୍, ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ହେବାରୁ ବିଶ୍ୱରେ ତୈଳ ସଙ୍କଟ

ନୂଆଦିଲ୍ଲୀ, ୧୭ ମାର୍ଚ୍ଚ ୨୦୨୬: ଇରାନ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଏକ ଜଟିଳ ପରିସ୍ଥିତିର ସାମ୍ନା କରୁଛନ୍ତି। ଇରାନ ସହ ବୁଝାମଣା କରିବାର କୌଣସି ବାଟ ନପାଇ ଟ୍ରମ୍ପ୍ ବର୍ତ୍ତମାନ ରଣନୀତି କ୍ଷେତ୍ରରେ ବାଟବଣା ହୋଇପଡ଼ିଥିବା ପରିଲକ୍ଷିତ ହେଉଛି। ଇରାନ ମଧ୍ୟ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ନଥିବା ବେଳେ ଉପସାଗରୀୟ ଦେଶଗୁଡ଼ିକ ଉପରେ ଆକ୍ରମଣ ଜାରି ରଖିଛି।

ବିଶେଷ କରି ଇରାନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ‘ହର୍ମୁଜ୍ ଷ୍ଟ୍ରେଟ୍’କୁ ବନ୍ଦ କରିଦିଆଯିବା ଟ୍ରମ୍ପ୍‌ଙ୍କ ପାଇଁ ଚିନ୍ତାର ବଡ଼ କାରଣ ସାଜିଛି। ଏହି ଜଳପଥ ଦେଇ ଜାହାଜ ଚଳାଚଳ ବନ୍ଦ ହେବା ଫଳରେ ଆନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ଆକାଶଛୁଆଁ ହୋଇଛି, ଯାହା କେବଳ ଆମେରିକା ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ସଙ୍କଟ ସୃଷ୍ଟି କରିଛି।

ତୈଳ ପରିବହନ ଓ ସୁରକ୍ଷା ପାଇଁ ଟ୍ରମ୍ପ୍ ନାଟୋ (NATO) ସଦସ୍ୟ ରାଷ୍ଟ୍ରମାନଙ୍କର ସହାୟତା ଲୋଡ଼ିଥିଲେ ମଧ୍ୟ ସେଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଟ୍ରମ୍ପ୍‌ଙ୍କ ତାଗିଦ୍ ସତ୍ତ୍ୱେ ଅନେକ ପ୍ରମୁଖ ରାଷ୍ଟ୍ର ଏହି ଯୁଦ୍ଧରେ ସାମିଲ ହେବାକୁ ମନା କରିଦେଇଛନ୍ତି। ବର୍ତ୍ତମାନ ବିଶ୍ୱ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ମୂଲ୍ୟ ୧୦୫ ଡଲାର ଟପି ସାରିଛି।

ଆଗକୁ ଏହି ମୂଲ୍ୟ ୨୦୦ ଡଲାରରେ ପହଞ୍ଚାଇବାକୁ ଇରାନ ଧମକ ଦେବା ସହ ହର୍ମୁଜ୍ ଷ୍ଟ୍ରେଟ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବା ରଣନୀତି ଆପଣାଇଛି। ଟ୍ରମ୍ପ୍ ଏହି ଜଳପଥରେ ତୈଳ ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଚୀନ୍ ସମେତ ନାଟୋ ରାଷ୍ଟ୍ରମାନଙ୍କୁ ନିଜର ଯୁଦ୍ଧପୋତ ମୁତୟନ କରିବାକୁ ଧମକ ଦେଇଥିଲେ ହେଁ କୌଣସି ଦେଶ ଏହାକୁ ଖାତିର କରିନାହାନ୍ତି।

ପରିସ୍ଥିତି ଏଭଳି ହୋଇଛି ଯେ, ଅଷ୍ଟ୍ରେଲିଆ ଓ ଜାପାନ ଭଳି ଦେଶମାନେ ଯୁଦ୍ଧଜାହାଜ ପଠାଇବାକୁ ସିଧାସଳଖ ମନା କରିଦେଇଛନ୍ତି। ସେହିପରି କାନାଡା, ଯୁକ୍ତରାଜ୍ୟ, ଫ୍ରାନ୍ସ ଓ ଜର୍ମାନୀ ଭଳି ପ୍ରମୁଖ ନାଟୋ ରାଷ୍ଟ୍ର ମଧ୍ୟ ଆମେରିକାକୁ ଏହି ପ୍ରସଙ୍ଗରେ ସହଯୋଗ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ସାଥୀ ଦେଶମାନଙ୍କର ଏହି ମୁହଁମୋଡ଼ିବା ଘଟଣା ଟ୍ରମ୍ପ୍‌ଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଏକାକୀ କରିଦେଇଛି। ଯଦି ତୈଳ ମୂଲ୍ୟ ଏଭଳି ଭାବେ ବଢ଼ିଚାଲେ, ତେବେ ଆଗକୁ ବିଶ୍ୱ ଅର୍ଥନୀତିରେ ଏକ ବଡ଼ ଧରଣର ମାନ୍ଦାବସ୍ଥା ଆସିବା ଆଶଙ୍କା କରାଯାଉଛି।

Related Articles

Back to top button