
ନୂଆଦିଲ୍ଲୀ, ୧୪/୦୨/୨୦୨୬: ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ଆଜି ସମଗ୍ର ଦେଶ ଶହୀଦ ସୈନିକମାନଙ୍କୁ ମନେ ପକାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସାହସୀ ବୀରମାନଙ୍କ ବଳିଦାନକୁ ସ୍ମରଣ କରି କହିଛନ୍ତି ଯେ, ସେମାନଙ୍କର ଅଦମ୍ୟ ସାହସ, ଦେଶପ୍ରେମ ଏବଂ ସମର୍ପଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “୨୦୧୯ ମସିହାରେ ପୁଲୱାମାରେ ପ୍ରାଣବଳି ଦେଇଥିବା ସାହସୀ ବୀରମାନଙ୍କୁ ମୁଁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କର ସଂକଳ୍ପ ଏବଂ ଦେଶ ପ୍ରତି ସେବା ସର୍ବଦା ଆମ ସାମୂହିକ ମନରେ ଜୀବନ୍ତ ରହିବ। ପ୍ରତ୍ୟେକ ଭାରତୀୟ ସେମାନଙ୍କ ସାହସରୁ ଶକ୍ତି ପାଆନ୍ତି।”
ପ୍ରଧାନମନ୍ତ୍ରୀଙ୍କ ସହ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ମଧ୍ୟ ଶହୀଦ ସିଆରପିଏଫ (CRPF) ସୈନିକମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଯେ, ଏହି ସର୍ବୋଚ୍ଚ ବଳିଦାନ ଭାରତୀୟ ଇତିହାସରେ ଚିରକାଳ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ଏବଂ ଏକ ଶକ୍ତିଶାଳୀ ତଥା ସୁରକ୍ଷିତ ଭାରତ ଗଠନ ପାଇଁ ଆମକୁ ପ୍ରେରଣା ଦେବ।
ଉଲ୍ଲେଖଯୋଗ୍ୟ ଯେ, ୧୪ ଫେବୃଆରୀ ୨୦୧୯ ରେ ଜମ୍ମୁ-କଶ୍ମୀରର ପୁଲୱାମା ଜିଲାରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଏକ CRPF କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ସୈନିକ ଶହୀଦ ହୋଇଥିଲେ। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିବା ସହ ସୀମାପାର ଆତଙ୍କବାଦ ବିରୋଧରେ ବିଶ୍ୱବ୍ୟାପୀ ଆଲୋଚନା ଜୋର ଧରିଥିଲା।
ଆଜିର ଏହି ଦିନକୁ ସେହି ବୀର ସୈନିକମାନଙ୍କ ସ୍ମୃତିରେ ସାରା ଦେଶ ‘କଳା ଦିବସ’ ଭାବେ ପାଳନ କରୁଛି। ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ଦେଶର ବିଭିନ୍ନ କୋଣ ଅନୁକୋଣରେ ଶହୀଦଙ୍କ ଉଦ୍ଦେଶ୍ୟରେ ଶୋକ ସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରାମାନ ଆୟୋଜିତ ହେଉଛି।




