ଜାତୀୟରାଜନୀତି

ବିହାର ରାଜନୀତିରେ ବଡ଼ ଓଲଟପାଲଟ: ନୀତୀଶ ଯିବେ ଦିଲ୍ଲୀ, କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ପାଟନା, ୦୫/୦୩/୨୦୨୬: ହୋଲି ଅବସରରେ ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାରେ ଏବେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି କେନ୍ଦ୍ରକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ରାଜ୍ୟସଭା ପାଇଁ ନିଜର ନାମାଙ୍କନ ଦାଖଲ କରିସାରିଥିବା ବେଳେ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। JDU ନେତାମାନେ ଏହି ଖବରକୁ ନିଶ୍ଚିତ କରିବା ପରେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଏବେ ଗରମାଗରମ ଚର୍ଚ୍ଚା ଆରମ୍ଭ ହୋଇଛି।

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ NDA ମେଣ୍ଟ ୨୦୨ଟି ଆସନ ସହ ବିପୁଳ ବିଜୟ ହାସଲ କରିଛି। ଏଥିରେ ବିଜେପି ୮୯ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ସୂତ୍ର ଅନୁସାରେ, ନୀତୀଶ କୁମାର ଦିଲ୍ଲୀ ଯିବା ପରେ ମୁଖ୍ୟମନ୍ତ୍ରୀ ପଦ ବିଜେପି ଖାତାକୁ ଆସିପାରେ ଏବଂ ବଦଳରେ JDU କୁ ଦୁଇଟି ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ ହେଭିୱେଟ୍:
ବର୍ତ୍ତମାନ ବିଜେପିରୁ ପାଞ୍ଚଜଣ ନେତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଆଗରେ ରହିଛି:
୧. ନିତ୍ୟାନନ୍ଦ ରାୟ: ନିର୍ବାଚନ ପରିଚାଳନା ଓ ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ରାୟ ବିଜେପିର ଜଣେ ବିଶ୍ୱସ୍ତ ଚେହେରା।
୨. ସମ୍ରାଟ ଚୌଧୁରୀ: ବର୍ତ୍ତମାନର ଉପ-ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଭାବେ ସେ ଦଳର ପ୍ରଥମ ପସନ୍ଦ ହୋଇପାରନ୍ତି।
୩. ବିଜୟ ସିହ୍ନା: ଅନ୍ୟତମ ଉପ-ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ପାଖରେ ମଧ୍ୟ ବ୍ୟାପକ ଅନୁଭବ ରହିଛି।
୪. ଦିଲୀପ ଜୟସ୍ବାଲ: ଦଳୀୟ ସଙ୍ଗଠନରେ ସକ୍ରିୟ ଥିବା ଜୟସ୍ବାଲ ମଧ୍ୟ ଏହି ରେସ୍‌ରେ ଅଛନ୍ତି।
୫. ସଞ୍ଜୀବ ଚୌରାସିଆ: ବିଧାୟକ ଚୌରାସିଆଙ୍କ ନାମକୁ ନେଇ ମଧ୍ୟ ଅନ୍ଦରମହଲରେ ଚର୍ଚ୍ଚା ଚାଲିଛି।

ତେବେ ବିଜେପି ହାଇକମାଣ୍ଡ ସବୁବେଳେ ନିଜର ଚମକାଇ ଦେଲା ଭଳି ନିଷ୍ପତ୍ତି ପାଇଁ ଜଣାଶୁଣା। ମଧ୍ୟପ୍ରଦେଶ କିମ୍ବା ଛତିଶଗଡ଼ ଭଳି ବିହାରରେ ମଧ୍ୟ କୌଣସି ନୂଆ ଚେହେରାଙ୍କୁ ଦାୟିତ୍ୱ ମିଳିବ କି ନାହିଁ, ତାହା ଦେଖିବାକୁ ବାକି ରହିଲା। ହୋଲିର ଏହି ରଙ୍ଗାରଙ୍ଗ ମାହୋଲରେ ବିହାର ରାଜନୀତି କେଉଁ ରଙ୍ଗ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Related Articles

Back to top button