ଓଡ଼ିଶାରାଜନୀତି

ରାଜ୍ୟସଭା ନିର୍ବାଚନ: ବିଜେଡି-କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ

ଦଳୀୟ ହ୍ୱିପ୍ ଉଲ୍ଲଙ୍ଘନ କଲେ ବିଧାୟକ

ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୬: ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ବିରୋଧୀ ବିଜେଡି ଏବଂ କଂଗ୍ରେସ ଦଳକୁ ବଡ଼ ଝଟକା ଲାଗିଛି। ଦଳୀୟ ହ୍ୱିପ୍ ସତ୍ତ୍ୱେ ଉଭୟ ଦଳର କିଛି ବିଧାୟକ ଦଳୀୟ ପ୍ରାର୍ଥୀଙ୍କ ବଦଳରେ ଅନ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା ସ୍ପଷ୍ଟ ହୋଇଛି। ବିଶେଷ କରି ଚତୁର୍ଥ ଆସନ ପାଇଁ କଡ଼ା ଟକ୍କର ହେଉଥିବା ବେଳେ ଏହି କ୍ରସ ଭୋଟିଂ ଫଳାଫଳକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି।

ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ନିଜେ କ୍ରସ ଭୋଟିଂ କରିଥିବା ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପିତା ପ୍ରଭାତ ବିଶ୍ୱାଳଙ୍କୁ ଦଳ ଯେଭଳି ଭାବେ ଅପମାନିତ କରି ବହିଷ୍କାର କଲା, ତାହାର ପ୍ରତିବାଦ ସ୍ୱରୂପ ସେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଛନ୍ତି। ସେହିପରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଦିଲୀପ ରାୟଙ୍କୁ ସମର୍ଥନ କରିଛନ୍ତି। ବିଜେଡିର କଂଗ୍ରେସ ସହ ମେଣ୍ଟକୁ ସେ ସହ୍ୟ କରିପାରିଲେ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି। ସୁବାସିନୀ ଜେନା ମଧ୍ୟ କ୍ରସ ଭୋଟିଂ କରିଛନ୍ତି ।

ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି ଯେ, ଦଳର ୩ ଜଣ ବିଧାୟକ ହ୍ୱିପ୍ ଉଲ୍ଲଙ୍ଘନ କରିଛନ୍ତି। କଂଗ୍ରେସ ନିଜର ବିଧାୟକମାନଙ୍କୁ ବେଙ୍ଗାଲୁରୁ ନେଇ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ କ୍ରସ ଭୋଟିଂ ରୋକିବାରେ ବିଫଳ ହୋଇଛି। ମୋହନା ବିଧାୟକ ଦାଶରଥି ଗୋମାଙ୍ଗୋ ବହୁଦିନରୁ ଦଳ ସହ ଯୋଗାଯୋଗରେ ନଥିବା ବେଳେ ଆଜିର ମତଦାନରେ ମଧ୍ୟ କଂଗ୍ରେସର ଭୋଟ୍ କମିଥିବା ଜଣାପଡ଼ିଛି । ସୋଫିଆ ଫିରଦୋଷ, ରମେଶ ଜେନା ମଧ୍ୟ କ୍ରସ ଭୋଟିଂ କରିଛନ୍ତି ।

ନିୟମ ଅନୁଯାୟୀ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୩୦ ଟି ଭୋଟ୍ ଦରକାର। ବିଜେଡି-କଂଗ୍ରେସ-ସିପିଏମର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପାଖରେ କାଗଜପତ୍ରରେ ୩୩ଟି ଭୋଟ୍ ରହିଥିଲା। ମାତ୍ର ଏହି କ୍ରସ ଭୋଟିଂ ପରେ ହୋତାଙ୍କ ବିଜୟ ସମ୍ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଏହି କ୍ରସ ଭୋଟିଂ ବେଶ୍ ଫାଇଦା ଦେଇପାରେ। ଅପରାହ୍ନ ୫ଟାରେ ଗଣତି ଆରମ୍ଭ ହେବ ଏବଂ ଏହାପରେ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ।

Related Articles

Back to top button