ଷ୍ଟ୍ରଙ୍ଗରୁମ୍କୁ ନେଇ ଗୁଜବ, ବାହାରେ ଲାଗିଲା ସିସିଟିଭି ଡିସ୍ପ୍ଲେ ଏଲ୍ସିଡି, ଡିସ୍ପ୍ଲେ ସମ୍ମୁଖରେ ରାତିସାରା ଜଗିଲେ ପ୍ରାର୍ଥୀ ଓ ନେତା
![](https://i0.wp.com/odia.mobilenews24x7.com/wp-content/uploads/2022/02/UNTITLED_6-750x430-1.jpg?resize=750%2C430&ssl=1)
ରାଜନଗର() ରାଜନଗର ବ୍ଲକ୍ ୨୯ ପଂଚାୟତର ୩୬୩ ବୁଥ୍ରେ ଗତକାଲି ମତଦାନ ଶେଷ ହୋଇଛି। ମତଦାନ ପରେ ଭୋଟ୍ବାକ୍ସଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଅଣାଯାଇ ରାଜନଗର ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଛି। ଚଳିତ ପଂଚାୟତ ନିର୍ବାଚନରେ ପ୍ରଥମଥର ପାଇଁ ବୁଥ୍ ପରିବର୍ତ୍ତେ ବ୍ଲକ୍ ମୁଖ୍ୟାଳୟରେ ଗଣତି ହେବ। ଗଣତି ପାଇଁ ଆହୁରି ୪ଦିନ ବାକି ଅଛି। ମାତ୍ର ଗଣତି ପୂର୍ବରୁ ବିଭିନ୍ନ ଗୁଜବକୁ ନେଇ ଚାରିଆଡେ ଚର୍ଚ୍ଚା ଓ ଆଲୋଚନା ହେଉଛି। ଗତକାଲି କିଛିଲୋକ ଭୋଟ୍ ବାକ୍ସ ନେଇଯାଇଥିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ଗୁଜବ ପରେ ପୁଲିସ ଘଟଣାସ୍ଥଳରେ ପହଁଚି ତନଖି କରିଥିଲେ। ସମସ୍ତ ସିଲ୍ ଠିକ୍ ଥିବା ବେଳେ କଡ଼ା ସୁରକ୍ଷାରେ ପୁଲିସ ଜଗିଛି। ଭିତରେ ଓ ବାହାରେ ସିସିଟିଭି ଲଗାଯାଇଛି। ପୁଲିସ କଡ଼ା ସୁରକ୍ଷାରେ ଏହାକୁ ଜଗିଛି। ଗତକାଲିଠାରୁ ସିସିଟିଭି ଡିସ୍ପ୍ଲେ ଏଲ୍ସିଡି ଷ୍ଟ୍ରଙ୍ଗରୁମ ବାହାରେ ଲଗାଯାଇଛି। ଭୋଟ ବାକ୍ସ ରହିଥିବା ସମସ୍ତ ରୁମ୍ର ଭିତର ଓ ବାହାର ସିସିଟିଭିରେ ଡିସ୍ପ୍ଲେ ହେଉଛି।
ସିସିଟିଭି ଡିସ୍ପ୍ଲେ ଏଲ୍ସିଡି ସମ୍ମୁଖରେ ଦିନତମାମ୍ ଲୋକଙ୍କ ଭିଡ଼ ଜମି ରହୁଛି। ଗତକାଲି ରାତିତମାମ୍ ବିଭିନ୍ନ ପଂଚାୟତର ସରପଂଚ, ସମିତି ସଭ୍ୟ, ପ୍ରାର୍ଥୀଙ୍କ ସମେତ ଜିଲ୍ଲାପରିଷଦ ପ୍ରାର୍ଥୀ ଓ ବିଭିନ୍ନ ଦଳର ନେତା ଷ୍ଟ୍ରଙ୍ଗରୁମ୍ ଏଲ୍ସିଡି ସମ୍ମୁଖରେ ବସି ରହିଥିଲେ। ଷ୍ଟ୍ରଙ୍ଗରୁମ୍ ଭିତରେ ଭୋଟ୍ ବାକ୍ସ ସହ ଅବ୍ୟବହୃତ ବ୍ୟାଲଟ୍ ପେପର୍ ରଖାଯାଇଛି। ଭୋଟ୍ ଗଣତି ସରିବା ଯାଏ ଷ୍ଟ୍ରଙ୍ଗରୁମ୍କୁ ଜଗି ରହିବେ ବୋଲି ବାଲିସାହିପାଟଣା ପଂଚାୟତର ସରପଂଚ ପ୍ରାର୍ଥୀ କୈଳାସ ଚନ୍ଦ୍ର ପରିଡା, କୋଇଲିପୁରର ସରପଂଚ ପ୍ରାର୍ଥୀ ଦିଲ୍ଲୀପ କୁମାର ରାଉତ, ୩୦ନଂ ଜୋନ୍ ଜିଲ୍ଲାପରିଷଦ ପ୍ରାର୍ଥୀ ସହଦେବ ସାହୁ, ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର କୁମାର ଜେନା, କଂଗ୍ରେସ ନେତା ବିଜୟ ବଳ ପ୍ରମୁଖ କହିଛନ୍ତି। ଗତକାଲି ରାତିରେ ଶହେରୁ ଅଧିକ ବିଭିନ୍ନ ପଂଚାୟତର ନେତା ଓ କର୍ମୀ ସିସିଟିଭି ଡିସ୍ପ୍ଲେ ସମ୍ମୁଖରେ ବସି ରହିଥିଲେ। ନିର୍ବାଚନ ସରିଯାଇଥିଲେ ମଧ୍ୟ ରାଜନଗର ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ରାଜନୈତିକ ଚର୍ଚ୍ଚା ଓ ଆଲୋଚନା ପରିବେଶକୁ ଅଧିକ ଉଷ୍ମ କରିଛି।