ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଘୋଡାହଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଘୋଡାହଡ ପାଣି ପଞ୍ଚାୟତ ଶୀର୍ଷକ କମିଟି ପକ୍ଷରୁ ଖରିଫ ଧାନ ଚାଷ ନିମନ୍ତେ ପ୍ରଥମ ଆଲୋଚନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପାଣି ପଞ୍ଚାୟତ ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ସଭାରେ ଚିକିଟି ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ. ସଞ୍ଜୀବ କୁମାର ଦାସ ଶର୍ମା , ଦିଗପହଣ୍ଡି ଘୋଡାହଡ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ . ଏ . ଗୋପାଳ ରାଓ , ସହକାରୀ ଯନ୍ତ୍ରୀ ଇଂ . ସୁଶାନ୍ତ ମହାପାତ୍ର , ଇଂ . ନିରଞ୍ଜନ ସାହୁ , ଇଂ. କ୍ଷୀରୋଦ ବେହେରା , କୋଷାଧକ୍ଷ ରାମନାଥ ବିଷୋୟୀ , ପୂର୍ବତନ ଶୀର୍ଷକ କମିଟି ସଭାପତି ତଥା ଉପଦେଷ୍ଟା ବିଦ୍ୟାଧର ମହାପାତ୍ର ସମେତ ୨୧ ଗୋଟି ପାଣି ପଞ୍ଚାୟତ ଶୀର୍ଷକ କମିଟି ସଦସ୍ୟ ଉପସ୍ଥିତ ରହି ଚଳିତ ବର୍ଷ ଖରିଫ ଚାଷ ନିମନ୍ତେ କେନାଲ ଯୋଗେ ପାଣି ଛଡାଯିବା , ବୃଷ୍ଟି ଯଜ୍ଞ ପାଇଁ ଗେଟ୍ ପୂଜା ଓ କେନାଲ ସଫା ନିମନ୍ତେ ଆଲୋଚନା କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଆସନ୍ତା ୧୭ ତାରିଖ ଦିନ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘୋଡାହଡ ଡ୍ୟାମ ପରିସରରେ ବର୍ଷାକୁ ଆଗମନ କରାଇବା ନିମନ୍ତେ ବୃଷ୍ଟିଯଜ୍ଞ ଓ ଗେଟ୍ ପୂଜନ କରାଯିବା ପରେ ସମସ୍ତ ଚାଷୀଙ୍କ ଉପସ୍ଥିତିରେ ବୈଠକରେ ଆଲୋଚନା ପରେ ଡ୍ୟାମରୁ କେନାଲ ଯୋଗେ ପାଣି ଛଡାଯିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ପାଣି ପଞ୍ଚାୟତ କେନାଲ ସଫା ପାଇଁ ଚଳିତବର୍ଷ ଜଳସେଚନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ମଞ୍ଜୁର କରାଯିବା ନେଇ ପ୍ରସ୍ତାବ ଗୃହୀତ କରାଯାଇଥିଲା ।
ତେବେ ଡ୍ୟାମର ଜଳଧାରଣ କ୍ଷମତା ୧୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳଧାରଣ କ୍ଷମତା ୧୧୬.୮୦ ମିଟର ଯାହାକି ୯୦ ପ୍ରତିଶତ ରହିଥିବା ଜଣାପଡିଛି । ଏହି ଆଲୋଚନା ବୈଠକରେ କମିଟିର କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ଏମ୍ . ସହଦେବ ରେଡ୍ଡୀ , ବିଭୂତି ଭୂଷଣ ମହାପାତ୍ର , ଲୁଲୁ ସର୍ଦ୍ଦାର , ଚିତ୍ରସେନ ଗୈାଡ , ବିପ୍ର ପ୍ରଧାନ , ଦିଲିପ ପ୍ରଧାନ , କିଶୋର ଜେନା , ମୁରଲୀ ପାତ୍ର , ରାମହରି ଗୈାଡ , ସିମାଞ୍ଚଳ କର , ଏମ୍ . ଦଣ୍ଡପାଣି ସମେତ ୨୧ ଗୋଟି ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀ ଉପସ୍ଥିତ ରହିଥିବା ବେଳେ ଘୋଡାହଡ ଜଳସେଚନ ବିଭାଗ କର୍ମଚାରୀ ପ୍ରଦୀପ ଚନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।
Back to top button