ବାଣିଜ୍ୟ

ଡମ୍ପିଂୟାର୍ଡ଼ ଥିବା ବେଲଗୁଣ୍ଠା ଶ୍ମଶାନ ପାଲଟିଛି ଆଦର୍ଶ ଶ୍ମଶାନ

ବେଲଗୁଣ୍ଠା, ୩୧/୦୮/୨୦୨୨-  ଏକ ବର୍ଷରେ ବଦଳିଲା ବେଲଗୁଣ୍ଠା ଶ୍ମଶାନର ରୂପରେଖ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସୁତୁମୁସର ରୋଡ଼ ଶ୍ମଶାନରେ ଦିନେ କୁଢ଼ କୁଢ଼ ଆବର୍ଜନା ପଡୁଥିଲା । ଦୁର୍ଗନ୍ଧରେ ନାକ ପାଟି ପଡୁଥିଲା । ଆଉ ବର୍ଷା ଦିନରେ ଅବସ୍ଥା କହିଲେ ବି ସରୁନଥିଲା । ଦୀର୍ଘ କୋଡ଼ିଏ ବର୍ଷରୁ ଉର୍ଦ୍ଧ୍ୱ  ବେଲଗୁଣ୍ଠା ସହରର ସମସ୍ତ ମଇଳା, ଅଳିଆ ଆବର୍ଜ୍ଜନା ପଡି ପଡି ସେଠାରେ ପାହାଡ଼ ସୃଷ୍ଟି ହୋଇଥିଲା । ଯାହା ଫଳରେ ବେଲଗୁଣ୍ଠା ସହର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଥିଲା ।

ଏହାକୁ ଗୁରୁତର ଭାବେ ନେଇ ବେଲଗୁଣ୍ଠା ଏନ୍.ଏ.ସି ପ୍ରଶାସନ ରାଜ୍ୟ ସରକାରଙ୍କ ଆଦର୍ଶ ଶ୍ମଶାନ ଯୋଜନାରେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରି ପ୍ରାୟ ୧୦,୦୦୦ ମ୍ୟାଟ୍ରିକ ଟନ୍ ଆବର୍ଜନାକୁ ଖାଲି କରାଇ ୪୦ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନକୁ ନୂଆ ରୂପ ଦେବାକୁ ଆରମ୍ଭ କରିଥିଲେ ।

ଅଦ୍ୟାବଧି ଶ୍ମଶାନର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହା ଏକ ଉଦ୍ୟାନର ଭ୍ରମ ସୃଷ୍ଟି କରୁଛି । ୫ ଟି ଶବ ଦାହ ଆସ୍ଥାନ ସହିତ ଶବଦାହ ପାଇଁ ଆସିଥିବା ଲୋକମାନଙ୍କ ବିଶ୍ରାମ ସ୍ଥାନ, ଶୌଚାଳୟ, ୨୪ ଘଣ୍ଟିଆ ପାଣିର ସୁବନ୍ଦୋବସ୍ତ କରାଯିବା ସହ ସହିତ ଆଲୋକ ବ୍ୟବସ୍ଥା ବଜାୟ ରଖିବା ପାଇଁ ବୈଦ୍ୟୁତିକ ଏବଂ ସ୍ୱୟଂ ଚାଳିତ ସୋଲାର ଲାଇଟ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Related Articles

Back to top button