![](https://i0.wp.com/odia.mobilenews24x7.com/wp-content/uploads/2022/09/342618-5-202017-57-61DSC5656JPG.jpg?resize=780%2C470&ssl=1)
ଲୋକଙ୍କ ସୁରକ୍ଷା ଏବଂ ପଶୁଙ୍କ ଅଧିକାର ମଧ୍ୟରେ ସନ୍ତୁଳନ ବଜାୟ ରଖାଯିବା ଉଚିତ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅଦାଲତ ପ୍ରସ୍ତାବ ଦେଇଛନ୍ତି ଯେ, ବୁଲା କୁକୁରମାନଙ୍କୁ ଖାଇବାକୁ ଦେଉଥିବା ଲୋକେ ହିଁ ସେମାନଙ୍କର ଟିକାକରଣର ଦାୟିତ୍ଵ ନିଅନ୍ତୁ। ଏଥିସହ ଯଦି ସେହି କୁକୁର କାହା ଉପରେ ଆକ୍ରମଣ କରେ ତେବେ ତାର ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡିବ। ବିଚାରପତି ସଞ୍ଜୀବ ଖନ୍ନା ଏବଂ ବିଚାରପତି ଜେକେ ମାହେଶ୍ଵରୀଙ୍କ ପୀଠ ବୁଲା କୁକୁରଙ୍କ ସମସ୍ୟାର ସମାଧାନ ପ୍ରସଙ୍ଗରେ ଏହି ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ବିଚାରପତି ଖନ୍ନା କହିଛନ୍ତି, ଆମ୍ଭ ମାନଙ୍କ ମଧ୍ୟରୁ ଅଧିକାଂଶ କୁକୁରପ୍ରେମୀ। ମୁଁ ବି କୁକୁରଙ୍କୁ ଖାଦ୍ୟ ଖୁଆଇଥାଏ। ଲୋକଙ୍କୁ କୁକୁରଙ୍କ ଯତ୍ନ ନେବା ଉଚିତ୍। ମାତ୍ର ଉକ୍ତ କୁକୁରଙ୍କୁ ଚିହ୍ନଟ କରିବା ଉଚିତ୍, କିନ୍ତୁ ଚିପ୍ ମାଧ୍ୟମରେ ଟ୍ରାକ କରାଯିବା ଉଚିତ୍ ନୁହେଁ। ମୁଁ କଦାପି ଏହି ପକ୍ଷରେ ନୁହେଁ। ବୁଲା କୁକୁରଙ୍କ ପ୍ରସଙ୍ଗର ସମାଧାନ ପାଇଁ ଏକ ତର୍କସଙ୍ଗତ ସମାଧାନର ରାସ୍ତା ବାହାର କରାଯିବା ଉଚିତ୍ ବୋଲି ବିଚାରପତି ଖନ୍ନା କହିଛନ୍ତି। ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କୁ ନିଜର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି।