ଅନୁଗୁଳକୁ ୧୮୦୫ କୋଟିର ନୂଆବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ଅନୁଗୁଳ, ୨୯/୧୨/୨୦୨୨- ଗୁରୁବାର ଅନୁଗୁଳ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତରେ ଯାଇ ୧୮୦୫କୋଟିର ନୂଆବର୍ଷ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ଠାରୁ ଆରମ୍ଭ କରି ପାନୀୟ ଜଳ ପର୍ଯ୍ୟନ୍ତ ସମସ୍ତ ପ୍ରକଳ୍ପକୁ ଏଥିରେ ସ୍ଥାନ ଦିଆଯାଇଛି ।
ଏହି ପ୍ରକଳ୍ପରେ ଜିଲ୍ଲାର ୪୮ଟି ପଞ୍ଚାୟତଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ । ଏହା ସହିତ ବିଜୁ ସ୍ୱାସ୍ଥ୍ୟକାର୍ଡ ମାଧ୍ୟମରେ ଲୋକାମାନେ ସ୍ୱାସ୍ଥ୍ୟ ସୁବିଧା ଯୋଗେଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ବିକାଶର ଧାରାରେ ଆଜି ମା ମାନେ ଯୋଡି ହୋଇ ପାରିଛନ୍ତି । ମିଶନ ଶକ୍ତି ହେଉଛି ମୋର ସବୁ ଠାରୁ ପ୍ରିୟ ଯୋଜନା । ଏହା ସହିତ ଆଗାମୀ ଦିନରେ ମାଆ ମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ବହୁ ପ୍ରତିକ୍ଷିତ ଅନୁଗୁଳ ବସଷ୍ଟାଣ୍ଡ, ପାଲଲହଡ଼ାରେ ମହିଳା ଓ ଶିଶୁଙ୍କ ପାଇଁ ନୂଆ ଡାକ୍ତରଖାନା, ତାଳଚେର ପୌରପାଳିକା ଅଧୀନରେ ନିର୍ମାଣ ହୋଇଥିବା ହେରିଟେଜର ଶୁଭାରମ୍ଭ କରିଛନ୍ତି । ଛେଣ୍ଡିପଦା ବ୍ଲକ୍ ନତଡ଼ା ରେଲୱେ କ୍ରସିଂଠାରେ ସମ୍ବଲପୁର – ସଲିମର ଏକ୍ସପ୍ରେସକୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଯୋଗ ଦେଇଥିଲେ । ଆଗକୁ ନୂଆବର୍ଷ ଥିବାରୁ ଅନୁଗୁଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।