ବନାଗ୍ନି ରୋକିବାକୁ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୧୩୦୩୨୦୨୩ – ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାତ କରି ଏକ ପତ୍ର ଦେଇଛନ୍ତି । ଏହି ପତ୍ରରେ ରାଜ୍ୟରେ ବନାଗ୍ନି ସାରା ଦେଶରେ ଶୀର୍ଷରେ ଥିବା ସହ ରାଜ୍ୟର ଜଙ୍ଗଲ ସମ୍ପଦ, ଜୈବ ବିବିଧତା, କୃଷକ ଓ ଆଦିବାସୀଙ୍କ ଅର୍ଥନୀତି ଉପରେ କୁପ୍ରଭାବ ନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି ।
ଏହା ସହ ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ପାଇଁ ମିଳିତ ବୈଠକ ଓ ଆଗାମୀ ଦିନରେ ମୁକାବିଲାର ଯୋଜନା ପ୍ରସ୍ତୁତ ପାଇଁ ଯାଦବଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଭେମ୍ବର ୨୦୨୨ ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୮୭୧ଟି ବଡ଼ ଧରଣର ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଏହା ସାରା ଦେଶରେ ବନାଗ୍ନି ମାମଲାରେ ସର୍ବାଗ୍ରେ ରହିଛି । ପତ୍ରରେ ସରକାରୀ ତଥ୍ୟ ଉଲ୍ଲେଖ କରି ଲେଖିଛନ୍ତି, ଓଡ଼ିଶା ପଛକୁ କର୍ଣ୍ଣାଟକ, ତେଲଙ୍ଗାନା ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟ ଅଛନ୍ତି ।
ଓଡ଼ିଶାର ଏହି ଜଙ୍ଗଲ ନିଆଁ ଦେଶର ମୋଟ ଜଙ୍ଗଲ ନିଆଁର ୩୫ ପ୍ରତିଶତ ବୋଲି ଆକଳନ କରାଯାଇଛି । ବିଗତ ଚାରି ମାସରେ ରାଜ୍ୟରେ ଜଙ୍ଗଲ ନିଆଁ କାରଣରୁ ଚାରି ହଜାର ହେକ୍ଟର ନଷ୍ଟ ହୋଇଥିବା ଆକଳନ କରାଯାଇଛି ।୨୦୨୧ ମସିହାରେ ଜଙ୍ଗଲ ନିଆଁ ରାଜ୍ୟରେ ବହୁତ ବଡ଼ ଧରଣର ଥିଲା । ରାଜ୍ୟରେ ୫୧ ହଜାର ୯୬୮ଟି ଘଟଣା ସେହି ବର୍ଷ ସାମ୍ନାକୁ ଆସିଥିଲା । ଶିମିଳିପାଳ ଜାତୀୟ ଉଦ୍ୟାନ ଏହା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଚଳିତ ବର୍ଷ ୨୦୨୧ ମସିହା ଠାରୁ ସ୍ଥିତି ଆହୁରି ସଙ୍ଗୀନ ହେବା ଭଳି ଜଣାପଡ଼ୁଛି ।
ରାଜ୍ୟ ଜଙ୍ଗଲ ସମେତ ଅଗ୍ନିଶମ ବିଭାଗକୁ ଜଙ୍ଗଲ ନିଆଁର ସାମ୍ନା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲେ ମଧ୍ୟ ପରିଚାଳନାଗତ ପ୍ରଶିକ୍ଷଣ ଅଭାବରୁ ଏହାକୁ କାମରେ ଲଗାଯାଇପାରୁନାହିଁ । ସେଥିପାଇଁ ପତ୍ରରେ ଚିନ୍ତାବ୍ୟକ୍ତ କରିଛନ୍ତି । ଅନେକ ସ୍ଥାନକୁ ଅଗ୍ନିଶମ ଗାଡ଼ି ପହଞ୍ଚିବା ସମ୍ଭବ ହେଉ ନ ଥିବାରୁ ବନାଗ୍ନି ଲିଭାଇବା ପାଇଁ ହେଲିକପ୍ଟର ଓ ଆକାଶମାର୍ଗରୁ ଅନ୍ୟାନ୍ୟ ଉପାୟର ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।
ଯାଦବଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟର ଜଙ୍ଗଲ ବିଭାଗ ମଧ୍ୟରେ ମିଳିତ ବୈଠକ କରି ଜଙ୍ଗଲ ନିଆଁର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଜଙ୍ଗଲ, ଜୈବ ବିବିଧତାର କ୍ଷୟକ୍ଷତି ଆକଳନ ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଜନସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ପଦକ୍ଷେପ ନେଇ ଯୋଜନା ପ୍ରସ୍ତୁତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । କେନ୍ଦ୍ର-ରାଜ୍ୟ ପ୍ରତିନିଧି ତଥା ପରିବେଶବିତ ଏବଂ ଜଙ୍ଗଲ ସୁରକ୍ଷାରେ ସାମିଲ ଜନସାଧାରଣଙ୍କୁ ନେଇ ଏକ କ୍ଷମତାସମ୍ପନ୍ନ କମିଟି ଗଠନ ମାଧ୍ୟମରେ ଜଙ୍ଗଲ ନିଆଁ ପ୍ରଶମିତର ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।