ଜାତୀୟରାଜନୀତି

ଏନସି ନେତା ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ; ଜାମ୍ମୁ-କଶ୍ମୀର

ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରରେ ହେବ ମେଣ୍ଟ ସରକାର । ଏନସି ନେତା ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ଏନସି ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ଘୋଷଣା କରିଛନ୍ତି । ଅପରପକ୍ଷେ ଏହି ନିର୍ବାଚନରେ ଓମାର ଅବଦୁଲ୍ଲା ବଡଗାମ ଏବଂ ଗାନ୍ଦରବାଲ ଦୁଇଟି ଆସନରୁ ନାମାଙ୍କନ ଦାଖଲ କରିଥିଲେ । ବଡଗାମରେ ନିର୍ବାଚନ ଜିତିଥିବା ବେଳେ ଗାନ୍ଦରବାଲ ଆସନରେ ସେ ଆଗୁଆ ଚାଲୁଛନ୍ତି ।

୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭା ଆସନରେ ସରକାର ଗଢିବା ଲାଗି ମ୍ୟାଜିକ ନମ୍ବର ହେଉଛି ୪୬ । ଏନସି ଏଠାରେ ୫୨ସିଟରେ ଆଗୁଆ ରହିଥିବା ବେଳେ ବିଜେପି ମାତ୍ର ୨୭ଟି ସିଟ୍‌‌ ପାଇଛି । ସେହିପରି ପିଡିପି ୨ଟି ସିଟରେ ଆଗୁଆ ରହିଥିବା ବେଳେ ଅନ୍ୟ ସ୍ୱାଧୀନ ଦଳ ୯ଟି ସିଟରେ ଆଗୁଆ ରହିଛନ୍ତି । ତେବେ ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବା ପରେ ଶ୍ରୀନଗରରେ ଏନସିର ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୧୦ବର୍ଷ ପରେ ଲୋକଙ୍କ ମତ ସ୍ପଷ୍ଟ ହୋଇଛି ।

ଏଠାରେ ଘୃଣାର ବାତାବରଣ ଦୂର କରି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବା ଲାଗି ମେଣ୍ଟ ସରକାର ଉଦ୍ୟମ କରିବେ ବୋଲି ଫାରୁକ କହିଛନ୍ତି । ଜାମ୍ମୁ-କଶ୍ମୀର ଲୋକଙ୍କ ମତ ଆମ ପ୍ରତି ପୂର୍ବରୁ ଥିଲା ଏବଂ ଏବେ ଏହା ଅଧିକ ସ୍ପଷ୍ଟ ହୋଇଛି ବୋଲି ଫାରୁକ ମତ ଦେଇଛନ୍ତି । ଏପରି ସ୍ଥିତିରେ ଜମ୍ମୁ-କଶ୍ମୀରରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା । ହେଲେ ଏହା ଉପରୁ ଫାରୁକ ପରଦା ଉଠାଇଛନ୍ତି । ସେ କହିଛନ୍ତି, “ଲୋକମାନେ ଜନାଦେଶ ଦେଇଛନ୍ତି । ୨୦୧୯ ଅଗଷ୍ଟ ୫ରେ ନିଆଯାଇଥିବା ନିଷ୍ପତ୍ତି(ଧାରା ୩୭୦ ଉଚ୍ଛେଦ)କୁ ସେମାନେ ଗ୍ରହଣ କରୁ ନଥିବା ପ୍ରମାଣ କରି ଦେଖାଇଛନ୍ତି । ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ।”

୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ବିଜେପି ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମଥର ଭୋଟ ହୋଇଥିଲା। ଏଥିରେ ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ବିଜୟୀ ହେବାକୁ ଯାଉଛନ୍ତି। ବିଜେପି କେବଳ ୨୨ରୁ ୨୫ଟି ଆସନ ଜିତିପାରେ ବୋଲି ବର୍ତ୍ତମାନ ସୁଦ୍ଧା ହୋଇଥିବା ଭୋଟ ଗଣତିରୁ ଆକଳନ କରାଯାଉଛି । ଓମାର ଅବଦୁଲ୍ଲା ବଡ଼ଗାମ ଓ ଗାନ୍ଦେରବଲ ଆସନରୁ ନିର୍ବାଚନ ଲଢ଼ୁଥିଲେ ।

ବଡ଼ଗାମରେ ଆସନରୁ ସେ ୧୮,୪୮୫ ଖଣ୍ଡ ଭୋଟରେ ଜିତିଥିବା ବେଳେ ଗାନ୍ଦେରବଲ ଆସନରେ ୧୫ ରାଉଣ୍ଡ ପରେ ୯,୭୬୬ ଖଣ୍ଡ ଭୋଟ ଆଗରେ ରହିଛନ୍ତି । ଅନ୍ୟପକ୍ଷରେ ଜାମ୍ମୁ-କଶ୍ମୀର ନିର୍ବାଚନରେ ପିଡିପି ଶୌଚନୀୟ ପ୍ରଦର୍ଶନ କରିଛି । ଏହାର ମୁଖ୍ୟ ମେହେବୁବା ମୁଫତି କହିଛନ୍ତି ଯେ ଦଳ ଶୌଚନୀୟ ପ୍ରଦର୍ଶନ କରିଥିବା ସତ୍ୱେ ନିଜ ଏଜେଣ୍ଡାରେ କାଏମ ରହିଛି । ଉପତ୍ୟାକାରେ ପିଡିପି ଏକ ମାତ୍ର ଦଳ ଯାହାର ସ୍ୱାତନ୍ତ୍ର୍ୟ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com