ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି; ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସ୍କୁଲ ଛୁଟି
ଭୁବନେଶ୍ୱର: ଚାଲି ଯାଇଛି ବାତ୍ୟା ‘ଦାନା’ l ହେଲେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ଲାଗି ରହିଛି ବର୍ଷା । ଅନ୍ୟପଟେ ବାତ୍ୟା ପାଇଁ ୩ଦିନ ସ୍କୁଲ ବନ୍ଦ ରହିଥିଲା । ଶନିବାର ସ୍କୁଲ ଖୋଲୁଛି । ମାତ୍ର ବର୍ଷା ଲାଗି ରହିଥିବାରୁ ରାଜ୍ୟର ୫ ଜିଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରର ଆକଳନ ଅନୁଯାୟୀ, ଶନିବାର ପ୍ରବଳ ବର୍ଷା ହେବା ନେଇ ୨୧ ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ତେବେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ଆଜି ରେଡ ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଭାଗ । ଫଳରେ ଏହି ସବୁ ଜିଲ୍ଲାରେ ୨୦ ସେଣ୍ଟିମିଣ୍ଟରରୁ ଅଧିକ ବର୍ଷାହେବା ସମ୍ଭାବନା ରହିଛି । ତେଣୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବନ୍ଦ ଘୋଷଣା କରାଯାଇଛି । ଭଦ୍ରକରେ ପ୍ରଥମରୁ ଦ୍ୱାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ । ସେହିପରି, ମୟୂରଭଞ୍ଜରେ ସ୍କୁଲ୍ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାରେ ସ୍କୁଲ୍ ସହ ବନ୍ଦ ରହିବ କଲେଜ ।
କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯନ୍ତ ସ୍କୁଲଗୁଡ଼ିକ ବନ୍ଦ ରହିବାକୁ ଡିଇଓ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବଳ ବର୍ଷା ଆଶଙ୍କାରେ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଆଜି ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏସବୁ ଜିଲ୍ଲାଗୁଡ଼ିକରେ କିଛି ସ୍କୁଲ୍ ଓ କଲେଜଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଥିବାରୁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ।