ଭୁବନେଶ୍ୱର: ନାକେଦମ କଲାଣି ବର୍ଷା । ଅଦିନିଆ ବର୍ଷାରେ ଚାଷୀଙ୍କ ମୁଣ୍ଡରେ ପଡୁଛି ଚଡ଼କ । ଚାଷ ଜମିରେ ଲହଡ଼ ଭାଙ୍ଗୁଛି ବର୍ଷା ପାଣି । ଚାଷୀ ସେହି ପାଣିରୁ ଫସଲ ଅମଳ କରିପାରୁନି ଏବେ ପୁଣି ଆଉ ଏକ ବର୍ଷାର ସମ୍ଭାବନା କଥା ଆକଳନ କରିଲାଣି ପାଣିପାଗ ବିଭାଗ । ଦୁଇ ଦିନର ବିରତି ପରେ ପୁଣି ରାଜ୍ୟରେ ଜାରି ରହିବ ବର୍ଷାର ତାଣ୍ଡବ । ଡିସେମ୍ବର ୨୪ ଓ ୨୫ରେ ପୁଣି ବର୍ଷା ସହ ଘନ କୁହୁଡି ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରଛି ପାଣିପାଗ ବିଭାଗ। ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ୭ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ବିଭାଗ ।
କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୯ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ବିଭାଗ। ଆଜି ଏବଂ କାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ୫ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଅନୁଗୁଳ ଓ କଳାହାଣ୍ଡିକୁ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି । ଅନ୍ୟପଟେ ଯଦି ଦେଖିବା ୨୬ରୁ ୨୮ ତାରିଖ ଯାଏଁ ଶୁଖିଲା ପାଗ ରହିବ ଏବଂ ପୁଣି ୨୯ ତାରିଖରୁ କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଛି ।