
ନାଗପୁର: ଜଳୁଛି ନାଗପୁର । ବିଭିନ୍ନ ଘଟଣାକୁ ନେଇ ସହରରେ ଏବେ ଲାଗିଛି ନିଆଁ । ଔରଙ୍ଗଜେବଙ୍କ ମାମଲାକୁ ନେଇ ଘନଉଛି ବିବାଦ । ମୋଗଲ ସମ୍ରାଟଙ୍କ ପ୍ରତିମୁର୍ତୀ ହଟାଇବା ଦାବି ହେଉ କିମ୍ବା ଏହା ସହିତ ଜଡିତ ବିଭିନ୍ନ ଗୁଜବ, ଏହାକୁ ନେଇ ଦେଖାଦେଇଛି ହିଂସା । ଧୀରେ ଧୀରେ ଏହି ବିବାଦକୁ ନେଇ ବୃଦ୍ଧି ପାଉଛି ଉତ୍ତେଜନା । ହେଲେ ଠିକ୍ ଏତିକି ବେଳେ ଏହି କଳିରେ ଡିଆଁ ମାରିଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସ ।
ନାଗପୁର ହିଂସାକାଣ୍ଡ ଭିତରେ ବଡ ବୟାନ ଦେଇଛନ୍ତି ଆରଏସଏସ ପ୍ରବକ୍ତା ସୁନୀଲ ଆମ୍ବେକର । ସେ କହିଛନ୍ତି ଆଜିର ସମୟରେ ଏହି ମାମଲା ପ୍ରାସଙ୍ଗିକ ନୁହେଁ । ଅର୍ଥାତ ଔରଙ୍ଗଜେବଙ୍କ ବିଷୟ ଏକ ଅପ୍ରାସଙ୍ଗିକ । ଏବଂ କୌଣସି ପ୍ରକାର ହିଂସା ସମାଜ ପାଇଁ ଉଚିତ୍ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସୁନୀଲ । ତେବେ ବଡ କଥା ହେଲା ଆରଏସଏସର ଏହି ବୟାନ ଏମିତି ସମୟରେ ଆସିଛି କି ଯେଉଁ ସମୟରେ ନାଗପୁରରେ ଔରଙ୍ଗଜେବଙ୍କ ସମାଧି ହଟାଇବା ପାଇଁ ଦାବି କରାଯାଉଛି ଏବଂ ବିବାଦ ପରେ ହିଂସା ଦେଖାଦେଇଛି ।
ସୋମବାର ସଂଧ୍ୟାରେ ଚିଟନିସ୍ ପାର୍କ ନିକଟରେ ହିଂସା ଘଟିଥିଲା । ସମ୍ଭାଜୀନଗର ଜିଲ୍ଲାରେ ଔରଙ୍ଗଜେବଙ୍କ ସମାଧି ହଟାଇବା ପାଇଁ ଏକ ଦକ୍ଷିଣପନ୍ଥୀ ସଂଗଠନ ଦ୍ୱାରା ଆନେ୍ଦାଳନ ସମୟରେ ଏକ ସମ୍ପ୍ରଦାୟର ପବିତ୍ର ପୁସ୍ତକ କୋରାନକୁ ପୋଡି ଦିଆଯାଇଥିବା ଗୁଜବ ମଧ୍ୟରେ ପୋଲିସ ଉପରକୁ ପଥର ଫିଙ୍ଗାଯାଇଥିଲା । ଫଳରେ ଅନେକ ଲୋକଙ୍କୁ ଅଟକ ରଖାଯାଇଥିବା ବେଳେ କିଛି ଅଂଚଳରେ କର୍ଫୁ ଲଗାଯାଇଛି ।