ଓଡ଼ିଶାଦୁର୍ଘଟଣା

ଜଙ୍ଗଲ ନିଆଁର ମୁକାବିଲା ପାଇଁ ସଜବାଜ; ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ପ୍ରସ୍ତୁତି ବୈଠକ

ଭଞ୍ଜନଗର,୦୯/୦୨/୨୦୨୬: ରାଜ୍ୟର ବିଭିନ୍ନ ବନଖଣ୍ଡରେ ଜଙ୍ଗଲ ନିଆଁ ଲାଗିବା ଆରମ୍ଭ ହୋଇଥିବା ବେଳେ ଏହାର ପ୍ରତିକାର ପାଇଁ ବନ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲା ଘୁମୁସର ଉତ୍ତର ବନଖଣ୍ଡରେ ଅଗ୍ନିକାଣ୍ଡ ରୋକିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଗାମୀ ମଙ୍ଗଳବାର ଦିନ ଲାଲସିଂ ନର୍ସରୀ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସାମାଜିକ କର୍ମୀ, ବନ ସୁରକ୍ଷା ସମିତିର ସଦସ୍ୟ ଏବଂ ସ୍ୱେଚ୍ଛାସେବୀମାନେ ଯୋଗଦେଇ ନିଜର ମତ ରଖିବେ।

ସାଧାରଣତଃ ଜାନୁଆରୀରୁ ଜୁନ୍ ମାସ ପର୍ଯ୍ୟନ୍ତ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଅଧିକ ରହିଥାଏ। ଗତ ବର୍ଷ ଘୁମୁସର ଉତ୍ତର ବନଖଣ୍ଡର ପ୍ରାୟ ୩୦୦ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା। ସେହିପରି ୨୦୨୫ ଜଙ୍ଗଲ ଅଗ୍ନି ଋତୁରେ ରାଜ୍ୟର ପ୍ରାୟ ୪,୬୦୦ ହେକ୍ଟର ଜଙ୍ଗଲ ଜମି ପ୍ରଭାବିତ ହୋଇଥିଲା, ଯାହା ବନ୍ୟପ୍ରାଣୀଙ୍କ ବାସସ୍ଥାନକୁ ବହୁଳ ଭାବେ ନଷ୍ଟ କରିଥିଲା। ସାଟେଲାଇଟ୍ ତଥ୍ୟ ଅନୁଯାୟୀ, ଗତ ବର୍ଷ ମୋଟ ୨୯,୭୦୯ଟି ଅଗ୍ନି ବିନ୍ଦୁ ଚିହ୍ନଟ ହୋଇଥିଲା, ଯାହା ୨୦୨୪ ତୁଳନାରେ ଯଥେଷ୍ଟ ଅଧିକ ଥିଲା।

ଗତ ବର୍ଷ ବନ ବିଭାଗ ପ୍ରାୟ ୯୯.୯୫ ପ୍ରତିଶତ ଅଗ୍ନିକାଣ୍ଡର ସଫଳତାର ସହ ମୁକାବିଲା କରିଥିଲା, ଯାହା ବିଗତ ଚାରି ବର୍ଷ ମଧ୍ୟରେ ସର୍ବାଧିକ। ଚଳିତ ବର୍ଷ ରାଜ୍ୟରେ ପ୍ରବଳ ଶୀତ ପରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବା ଆଶଙ୍କା କରାଯାଉଛି। ତାପମାତ୍ରା ବୃଦ୍ଧି ପାଇଲେ ଜଙ୍ଗଲ ନିଆଁ ବଢ଼ିବାର ସମ୍ଭାବନା ରହିଥାଏ। ଏଥିସହ ସ୍ଥାନୀୟ ଲୋକଙ୍କ ଅସାବଧାନତା ଓ ସଚେତନତାର ଅଭାବ ମଧ୍ୟ ଏହି ସମସ୍ୟାକୁ ଦ୍ୱିଗୁଣିତ କରୁଛି।

ଏହି ସବୁ ଆହ୍ୱାନକୁ ଦୃଷ୍ଟିରେ ରଖି ଘୁମୁସର ଉତ୍ତର ବନଖଣ୍ଡ ଚଳିତ ବର୍ଷ ଅଧିକ ସତର୍କତା ଅବଲମ୍ବନ କରୁଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Related Articles

Back to top button