୪ଜି ମୋବାଇଲ ନେଟୱର୍କ ଉପଲବ୍ଧ ପାଇଁ ଦାବି

ଭୁବନେଶ୍ୱର ,ମୋବାଇଲ ନେଟୱର୍କ ଭିତ୍ତିଭୂମି ସୁନିଶ୍ଚିତ ପାଇଁ ପ୍ରତି ତିନିମାସରେ ସର୍ଭେ, ଅନୁମୋଦନ, ଟାୱାର ନିର୍ମାଣ, ବିଦ୍ୟୁତ୍ ସେବା ଯୋଗାଣ ବିଷୟରେ ସମୀକ୍ଷା କରାଯାଇ ଟେଲି ସେବା ଉପଲବ୍ଧ କରିବାକୁ ସାଂସଦ ଶ୍ରୀ ଉଲାକା ପ୍ରସ୍ତାବ ଦେଇଛନ୍ତି। ଏଥିସହ ପ୍ରତି ଗ୍ରାମର ବାସ୍ତବିକ ସ୍ଥିତି ଜାଣିବା ପାଇଁ ଅନୁମୋଦନ, ସର୍ଭେ, ଭିତ୍ତିଭୂମି ନିର୍ମାଣ ଆଦିର ସ୍ଥିତି, ବିଳମ୍ବର କାରଣ, ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ତିଥି ବିଷୟ ଉଲ୍ଲେଖ ସହ ଜଙ୍ଗଲ ଅନୁମତି, ବନ୍ୟଜନ୍ତୁ ମଞ୍ଜୁରୀ, ଜମି ଆବଣ୍ଟନ, ଠିକା ସଂସ୍ଥାର ସମସ୍ୟା ବିଷୟ ମଧ୍ୟ ସମୀକ୍ଷା କରାଯାଉ।ବାରମ୍ବାର ବିଳମ୍ବର କାରଣ ଖୋଜାଯାଇ କାର୍ଯ୍ୟାନୁଷ୍ଠାନ ସହ କୋଣସି ଗ୍ରାମକୁ ନେଟୱର୍କ ସୁବିଧା ମିଳିବା ବିଷୟକୁ ସ୍ୱାଧୀନ ସଂସ୍ଥା ଦ୍ୱାରା ଯାଞ୍ଚ ଏବଂ ‘ନୋ ନେଟୱର୍କ ଏବଂ ଦୁର୍ବଳ ନେଟୱର୍କ ସେବା’ ସମ୍ପର୍କିତ ଅଭିଯୋଗର ସମାଧାନ ପାଇଁ ଜିଲାସ୍ତରରେ ବ୍ୟବସ୍ଥା ଗଠନ ଲାଗି ସାଂସଦ ଉଲାକା କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଶ୍ରୀ ସିନ୍ଧିଆଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୋରାପୁଟ ଓ ରାୟଗଡ଼ା ଜିଲାରେ ଶତପ୍ରତିଶତ ନେଟୱର୍କ ପହଞ୍ଚିବା ପର୍ଯ୍ୟନ୍ତ ନିୟମିତ ଭାବେ କେନ୍ଦ୍ର ସଞ୍ଚାର ମନ୍ତ୍ରାଣଳୟ ଦ୍ୱାରା ସମୀକ୍ଷା ପାଇଁ ଶ୍ରୀ ଉଲାକା ଦାବି କରିଛନ୍ତି।ରାୟଗଡ଼ା ଓ କୋରାପୁଟ ଜିଲାର ସମସ୍ତ ଅଞ୍ଚଳରେ ଭରସାଯୋଗ୍ୟ ୪ଜି ମୋବାଇଲ ନେଟୱର୍କ ସେବା ଉପଲବ୍ଧ ପାଇଁ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି। ମଙ୍ଗଳବାର ସାକ୍ଷାତ ବେଳେ କୋରାପୁଟ ସାଂସଦ ଶ୍ରୀ ଉଲାକା ଦର୍ଶାଇଛନ୍ତି ଯେ ଉଭୟ ଜିଲାରେ ବହୁ ଅଞ୍ଚଳ ଏବେ ମଧ୍ୟ ମୋବାଇଲ ନେଟୱର୍କରୁ ବଞ୍ଚିତ ରହିଛି। ଯଦ୍ଦ୍ବାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣ ଲୋକ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବନଜୀବିକା, ବ୍ୟାଙ୍କିଙ୍ଗ୍ ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ସେବାରୁ ବଞ୍ଚିତ ହେଉଛନ୍ତି।




